ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା, ପ୍ରଧାନ ଶିକ୍ଷକ, ଓ୍ବାର୍ଡେନ ଥାନାରେ ଅଟକ

ସୁନ୍ଦରଗଡ଼/ଲେଫ୍ରିପଡା,୧।୪(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ହଷ୍ଟେଲ ଛାତରୁ ଶୁକ୍ରବାର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ପୋଲିସ ସ୍ପଷ୍ଟ କରି ନ ଥିଲେ ହେଁ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି।
ପ୍ରକାଶ ଯେ, ଛାତ୍ରୀ ଜଣକ ବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ବିଭିନ୍ନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ ଛାତ୍ରୀ ଜଣଙ୍କୁ ଅସଦାଚରଣ କରି ଆସୁଥିଲେ। ଏନେଇ ଛାତ୍ରୀ ପୂର୍ବରୁ ସାଙ୍ଗସାଥୀ, ଘର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଉ ମାତ୍ର କିଛି ଦିନ ପରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ପାଠପଢ଼ା ବ୍ୟାଘାତ ହେବା ଆଶଙ୍କା କରି ପରିବାର ଲୋକ ନୀରବ ରହିଥିଲେ। ପ୍ରଧାନ ଶିକ୍ଷକଙ୍କ ଆଚରଣରେ ଅତିଷ୍ଠ ହୋଇ ଶେଷରେ ଅପରାହ୍ନରେ ଛାତ୍ରୀ ଜଣକ ହଷ୍ଟେଲର ଦୁଇ ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପୋଲିସ ପରିବାର ଲୋକଙ୍କ ଅଭିଯୋଗକୁ ଆଧାରକରି ଲେଫ୍ରିପଡ଼ା ଥାନାରେ ଏକ ମାମଲା (ନଂ.୫୬/୨୦୨୨) ରୁଜୁ କରିଛି। ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ ଓ ହଷ୍ଟେଲର ଓ୍ବାର୍ଡେନ ରିଙ୍କି ବେହେରାଙ୍କୁ ସୁନ୍ଦରଗଡ଼ ଟାଉନ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ ଏସ୍‌ଡିପିଓ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣାକୁ ନେଇ ମୃତା ଛାତ୍ରୀଙ୍କ ପରିବାର, ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତଦନ୍ତ ଚାଲିଥିବାରୁ ପୋଲିସ ସବିଶେଷ ତଥ୍ୟ ଦେଇନାହିଁ। ଜିଲା ଶିକ୍ଷାଧିକାରୀ (ଡିଇଓ) ଅମୂଲ୍ୟ ପ୍ରଧାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ଜଣାପଡ଼ିଛି।