କମ୍‌ ମାର୍କ ରଖିବାରୁ ଛାତ୍ର ନେଲେ ଚରମ ନିଷ୍ପତ୍ତି

ସମ୍ବଲପୁର,୨୮ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଡିହପଡ଼ାରେ ଏକ ଅଘଟଣ ଘଟିଛି। ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଛାତ୍ର ରୋହନ ଗୌରାଙ୍ଗ(୧୮) ଆତ୍ମହତ୍ୟା କରିଥିବା ଜଣାପଡିଛି। ବୁର୍ଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ରୋହନଙ୍କ ଭାଇ ସୋହନଙ୍କ ଅଭିଯୋଗ କ୍ରମେ, ଗତ ରାତିରେ ଘର ବାଡିପଟେ ଥିବା ଏକ ଲୁହା ବାର୍‌ରେ ରୋହନ ରଶି ଲଗାଇ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ବାଡିପଟୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରୋହନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିଲେ। ଅଧିକ ପରିଶ୍ରମ କରିଥିଲେ ମଧ୍ୟ ୪୯ ପ୍ରତିଶତ ମାର୍କ ରଖିଥିଲେ। ତେଣୁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛୁ ବୋଲି ଭାଇ ସୋହନ କହିଛନ୍ତି। ଏ ସମ୍ପର୍କରେ ହୀରାକୁଦ ଏସ୍‌ଡିପଓ ଏସ୍‌. ଦାସ କହିଛନ୍ତି, ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ବେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଜଣାପଡିବ ବୋଲି ଏସ୍‌ଡିପିଓ କହିଛନ୍ତି।

Share