ବ୍ରହ୍ମପୁର ଅଫିସ,୨୫ା୧୧: ରେଳବାଇ ପୋଲିସ(ଜିଆରପି) ଶୁକ୍ରବାର କନିଷି-ଶିହଳା ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ଆସିକା ଝଗଡ଼େଇର ସଂଗ୍ରାମ ବେହେରା(୨୪)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ସଂଗ୍ରାମ କନିଷିସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନରେ ବିଇଡ଼ି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେ କନିଷି ଛଟେଇ କଲୋନୀରେ ଏକ ଘର ଭଡା ନେଇ ରହୁଥିଲେ। ଗୁରୁବାର ରାତିରେ ସଂଗ୍ରାମ କୌଣସି ମାନସିକ ଅଶାନ୍ତିକୁ କେନ୍ଦ୍ରକରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହ ନିକଟରୁ ପୋଲିସ ଏକ ମୋବାଇଲ ଫୋନ ଜବତ କରିଥିଲା। ସଂଗ୍ରାମଙ୍କ ବାପା ଓ ସାନ ଭାଇ ଆସି ମୃତଦେହ ଚିହ୍ନଟ କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୯୯/୨୨) ରୁଜୁ କରି ତଦନ୍ତ କରୁଛି।