ତୈଳ, ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ରାସ୍ତାରେ ଛାତ୍ର କଂଗ୍ରେସ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷା ସୋମବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କୁ ବିମାନବନ୍ଦରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସ୍ବାଗତ କରିଛନ୍ତି। ଏହି ଅବସରରେ ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ୍‌ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପ୍ରତିବାଦରେ ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା କରାଯାଇଛି। ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୋଲିସ ବ୍ୟାରିକେଡ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଛନ୍ତି। ୟାସିର କହିଛନ୍ତି, ମୋଦିଙ୍କ ‘ଅଚ୍ଛେ ଦିନ୍‌’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ବପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି। ହାଣ୍ଡିଶାଳରେ ମହାଙ୍ଗା ମାଡ଼। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ର ଦରବୃଦ୍ଧି ହିଟଲର ଶାସନର ପ୍ରତିଫଳନ ହୋଇଛି। ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି। ସେମାନଙ୍କ ଶାସନ ସମୟରେ ରାଜ୍ୟବାସୀଙ୍କ ଅବସ୍ଥା ରସାତଳଗାମୀ ହୋଇଛି। ରାଜ୍ୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଟିକାକରଣ ପାଇଁ ଦାବି କରିଛନ୍ତି। ସୁଶ୍ରୀ ଅନୁଲେଖା କହିଛନ୍ତି, ମୋଦି ଓ ନବୀନଙ୍କ ଶାସନରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦରବୃଦ୍ଧି ବିରୋଧରେ ନବୀନବାବୁ ମୁହଁ ଖୋଲୁନାହାନ୍ତି। ତେଲ ଦର ଲିଟର ପିଛା ୪୦ ଟଙ୍କା ହେବା ଉଚିତ ବୋଲି ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି। କଂଗ୍ରେସ ଶାସନ ସମୟରେ ତେଲ ଦର ଟଙ୍କାଟେ ବଢ଼ିଲେ ବିଜେଡି ରାଜରାସ୍ତାରେ ଚିତ୍କାର କରେ, ବର୍ତ୍ତମାନ କାହିଁକି ଚୁପ୍‌ ଅଛି ବୋଲି ସେ ପ୍ରଶ୍ନ କରିୁଛନ୍ତି। ବିଜୁ ଛାତ୍ର ଜନତା ଗରିବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରେନି। କରୋନା ସମୟରେ ଲୋକ ବରୋଜଗାର ହେଉଥିବା ବେଳେ ନବୀନ-ମୋଦି ଦର ଦାମ୍‌ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି। ଛାତ୍ର କଂଗ୍ରେସ ଏହା ବିରୋଧରେ ଧାରାବାହିକ ଆନ୍ଦୋଳନ କରିବ ବୋଲି ସୁଶ୍ରୀ କହିଛନ୍ତି।

Share