ଭୁବନେଶ୍ବର, ୬ା୬(ବ୍ୟୁରୋ): ବୁଥ୍ସ୍ତରରେ ଏଣିକି ଛାତ୍ର କଂଗ୍ରେସର ସକ୍ରିୟ ପ୍ରତିନିଧି ନିଯୁକ୍ତ ହେବେ। ତୃଣମୂଳସ୍ତରରୁ ଲଢ଼େଇକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ୪୦ ହଜାର ବୁଥ୍ରେ ଛାତ୍ର କଂଗ୍ରେସ ପ୍ରତିନିଧି ନିଯୁକ୍ତ କରିବ। ଏ ନେଇ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ ସୂଚନା ଦେଇଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସୋମବାର କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଛି। ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯିବା ସହ ତାକୁ ଗୃହୀତ କରାଯାଇଛି। ଏହି ଅବସରରେ ୟାସିର କହିଛନ୍ତି, ଓଡ଼ିଶାର ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରାଯାଉଛି। ଉଚ୍ଚଶିକ୍ଷିତ ଓଡ଼ିଶା ପିଲାଙ୍କୁ ଛୋଟିଆ ଚାକିରି ଦେଇ ଭଣ୍ଡେଇ ଦିଆଯାଉଛି। ଛାତ୍ର କଂଗ୍ରେସ ରାଜ୍ୟର ବେକାର ଯୁବତୀ,ଯୁବକଙ୍କୁ ଚାକିରି ଦେବା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଶିକ୍ଷାର ଘରୋଇକରଣ ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ। ସରକାର ସବୁବେଳେ ଘରୋଇ ଶିକ୍ଷାନୁଷ୍ଠାନ ମାଲିକମାନଙ୍କ ସପକ୍ଷରେ ଛିଡ଼ା ହେଉଛନ୍ତି। ଏହାଦ୍ୱାରା ଛାତ୍ରମାନଙ୍କ ସ୍ବାର୍ଥ ଉପେକ୍ଷିତ ହେଉଛି। ଏଣୁ ଛାତ୍ର କଂଗ୍ରେସ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ଘେରାଉ କରିବାକୁ ନିଷ୍ପତ୍ତି ହୋଇଛି। କଲେଜ ଓ ୟୁନିଭର୍ସିଟିରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ସମସ୍ତ କଲେଜ କ୍ୟାମ୍ପସ ଆଗରେ ଧାରଣା ଦେବ ବୋଲି ସେ କହିଛନ୍ତି। ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଛାତ୍ର କଂଗ୍ରେସ ସଙ୍ଗଠନର ମେରୁଦଣ୍ଡ। ବିଜେଡି ସରକାରରେ ରାଜ୍ୟର ଛାତ୍ର ସମାଜ ଉପେକ୍ଷିତ ଏବଂ ଲୁଣ୍ଠିତ। ଛାତ୍ର କଂଗ୍ରେସ ଏ ରାଜ୍ୟର ଛାତ୍ର ସମାଜକୁ ନ୍ୟାୟ ଦେବା ପାଇଁ ଉତ୍ସର୍ଗୀକୃତ ଭାବରେ ଆନ୍ଦୋଳନ କରୁ ବୋଲି ସେ କହିଛନ୍ତି।