Advertisement

ନଡ଼ିଆ ଗଛରୁ ପଡି ଛାତ୍ର ମୃତ୍ୟୁ ମାମଲା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ କଲେ ପରିବାର

ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଛାତ୍ର ପେଟେଲି କିରଣ ନଡ଼ିଆ ଗଛରୁ ପଡ଼ି ମତ୍ୟୁ ଘଟଣାରେ ପରିବାର ଲୋକେ ରବିବାର ସ୍କୁଲ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।

କିରଣଙ୍କ ମୃତ୍ୟୁକୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମୃତଦେହ କୋରାପୁଟ ଜିଲା ସଦର ମହକୁମାସ୍ଥିତ ମେଡ଼ିକାଲ କଲେଜରୁ ବ୍ୟବଚ୍ଛେଦ ପରେ ସିଙ୍ଗାରଗୁଡିରେ ପହଞ୍ଚିବା ପରେ ପରିବାର ଲୋକେ ବିକ୍ଷୋଭ କରିଛନ୍ତି। ଅନ୍ୟପକ୍ଷେ ଘଟଣାରେ ଭୟଭିତ ଥିବା ଶିକ୍ଷକମାନେ ବିଦ୍ୟାଳୟକୁ ଆସି ନ ଥିବା ଜଣାପଡ଼ିଛି। ଏ ନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ରେଡକ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଏବଂ ବିଦ୍ୟାଳୟ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ପରିବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ।

ଶିକ୍ଷକମାନେ ଘଟଣାସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖରୁ ମୃତଦେହ ଉଠାଇବୁ ନାହିଁ ବୋଲି ପରିବାର ଲୋକେ ଜିଦ୍‌ ଧରି ବସିଛନ୍ତି। ଅନ୍ୟପକ୍ଷେ ଖବର ଲେଖା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି। ବିଦ୍ୟାଳୟର ଶିକ୍ଷକ ଏବଂ ହଷ୍ଟେଲ ଓ୍ବାଡେନ୍‌ମାନଙ୍କ ଅବହେଳାରୁ ଏହି ଘଟଣା ଘଟିଥିବା ପରିବାର ଅଭିଯୋଗ କରିଛନ୍ତି।

Share