ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୩୧ା୩: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ର ଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ, ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ପୁରୁଷ ଛାତ୍ରାବାସର ୩ ନମ୍ବରରେ ରୁମ୍‌ରେ ରହୁଥିଲେ। ଗତକାଲି ରାତିରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରାତି ସାଢ଼େ ୩ଟା ବେଳେ ସେହି କ୍ୟାମ୍ପସ୍‌ର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେଶନକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ମୃତଦେହ ୫ ମହଲାବିଶିଷ୍ଟ ଏକାଡେମିକ୍‌ ବିଲ୍ଡିଂ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣା ପଛରେ ପ୍ରକୃତ ରହସ୍ୟ କ’ଣ ରହିଛି, ସେ କୌଣସି କାରଣକୁ ନେଇ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି ସେନେଇ ନାନା ପ୍ରଶ୍ନ ଉଠୁଛି। ଏତେ ରାତିରେ ୫ମହଲା ବିଶିଷ୍ଟ ଏକାଡେମିକ୍‌ ବିଲ୍ଡିଂ ଉପରକୁ ସେ କାହିଁକି ଯାଇଥିଲେ, ସେଠାକୁ ଯଦି ଆତ୍ମହତ୍ୟା କରିବାକୁ ଯାଇଥିଲେ ତେବେ ନିଜେ ରହୁଥିବା ୫ମହଲା ବିଶିଷ୍ଟ ଛାତ୍ରାବାସ ବିଲ୍ଡିଂରୁ ନ ଡେଇଁ ଏକାଡେମିକ୍‌ ବିଲ୍ଡିଂକୁ କାହିଁକି ଗଲେ। ଏସବୁ ପ୍ରଶ୍ନ ଉପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିବା ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ ମୁର୍ମୁ କହିଛନ୍ତି। ଏନେଇ ଶିଳ୍ପାଞ୍ଚଳ ଥାନା ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ହିତେଷ୍ଣୁଙ୍କ ଘର ବାଲେଶ୍ୱର ଜିଲା ସଦର ଥାନା ଅଧୀନ ରସାଲପୁର ପଞ୍ଚାୟତ ଭୀମପୁରା ଗ୍ରାମରେ। ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲା ପୋଲିସ ମୁଖ୍ୟାଳୟ(ଡିପିଓ)ରେ ମୁଖ୍ୟ କିରାଣି ଭାବେ ଚାକିରି କରିଥିଲେ। ନିକଟରେ ସେ ଅବସର ନେଇଛନ୍ତି। ବାଲେଶ୍ୱର ସହର ଓଟିରୋଡ୍‌ସ୍ଥିତ ପୋଲିସ କଲୋନୀର ଇ/୨୫ କ୍ୱାର୍ଟରରେ ତାଙ୍କ ପରିବାର ସହିତ ରହୁଥିବାର ଜଣାପଡ଼ିଛି।