ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ମାଟ୍ରିକ ପରୀକ୍ଷା ପୂର୍ବରୁ ଏକ ଅଘଟଣ ଘଟିଛି। ବଲାଙ୍ଗୀର ସହର ନିକଟ ଖୁଜେନପାଲିସ୍ଥିତ ବିଶ୍ବାତ୍ମ ବିଦ୍ୟା ମନ୍ଦିର ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ବିନାୟକ ପ୍ରଧାନ(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଛାତ୍ରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୋର ୫ଟା ବେଳେ ହଷ୍ଟେଲ ବାଥରୁମ୍‌ରେ ଛାତ୍ର ଜଣକ ଗାମୁଛାରେ ଝୁଲି ପଡ଼ିଥିବା ଛାତ୍ରମାନେ ଦେଖି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ।

ଏନେଇ ଛାତ୍ରୀଙ୍କ ପରିବା ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମୃତ ଛାତ୍ରଙ୍କ ପିତା ଲୋଇସିଂହା ଥାନା ଅନ୍ତର୍ଗତ ତଲିଉଡାର ଗାଁର ରାତ୍ର ପ୍ରଧାନ ଓ ପରିବାର ଲୋକେ ବିନାୟକଙ୍କ ମୃତ୍ୟୁ ସୁପରିକଳ୍ପିତ ବୋଲି ଅଭିଯୋଗ କରିବା ସହ ମାମଲାର ତଦନ୍ତ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରିବାର ଲୋକଙ୍କ ସହ ଗ୍ରାମବାସୀ ମାମଲାର ସ୍ବତନ୍ତ୍ର ଦାବି କରି ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଏପରି କି ମୃତଦେହ ଧରି ଆନ୍ଦୋଳନ କରିବାକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ବଲାଙ୍ଗୀର ଟାଉନ ଥାନା, ସଦର ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପକ୍ଷେ ଆଡିଶନାଲ ଏସ୍‌ପି ଓ ବଲାଙ୍ଗୀର ଉପଜିଲାପାଳ ହସ୍ପିଟାଲରେ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି।

Share