ମାଟ୍ରିକ ପରୀକ୍ଷା ବେଳେ ଛାତ୍ରଙ୍କ ମୃତ୍ୟୁ

ଦାମନଯୋଡ଼ି, ୧୭ା୩(ଡି.ଏନ.ଏ.):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବେଳେ ଦାମନଯୋଡି ନାଲ୍‌କୋ ଟାଉନଶିପ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାମ କୁନା ପୂଜାରୀ। ସେ ଦାମନଯୋଡି ନିକଟସ୍ଥ ମାଥାଲପୁଟ ମାଲୁସାଉନ୍ତା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର।
ଖବରରୁ ଜଣାପଡିଛି, ନାଲ୍‌କୋ ଟାଉନଶିପ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଚାଲିଥିବା ମାଟ୍ରିକ ପରୀକ୍ଷାର ଗୁରୁବାର ସାଧାରଣ ବିଜ୍ଞାନ ବିଷୟରେ ପରୀକ୍ଷା ଥିଲା। ବିଦ୍ୟାର୍ଥୀମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। କୁନା ମଧ୍ୟ ପରୀକ୍ଷା ଦେଉଥିଲେ। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସେ ହଠାତ୍‌ ମୂର୍ଚ୍ଛା ହୋଇଯାଇଥିଲେ। ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ତୁରନ୍ତ ନାଲ୍‌କୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚତ୍ଥିଲେ। ତାଙ୍କର ମୂର୍ଚ୍ଛା ରୋଗ ଥିବା ଏବଂ ଏହା ପୂର୍ବରୁ ସେ ଅନେକ ଥର ଏହି ରୋଗରେ ମୂର୍ଚ୍ଛା ହୋଇଥିବା ପରିବାର ଲୋକେ ସୂଚନା ଦେଇଥିଲେ। ଖବର ପାଇ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ହସ୍ପିଟାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇଥିଲେ। କୁନାଙ୍କ ବାପା ରାମ ପୂଜାରୀ ନାଲ୍‌କୋରେ ନିୟୋଜିତ ୟୁନାଇଟସ କମ୍ପାନୀରେ ଠିକା କର୍ମଚାରୀ ରୂପେ କାର୍ଯ୍ୟ କରୁଛନ୍ତି। ମାଥାଲପୁଟ ହାଟପଦାସ୍ଥିତ ମନ୍ଦିର କଲୋନୀରେ ସପରିବାର ରହୁଛନ୍ତି। ତାଙ୍କ ନିଜ ଘର ଉମୁରୀରେ ବୋଲି ଜଣାପଡିଛି।

Share