ଶ୍ରେଣୀଗୃହରେ ଉଠବସ୍‌: ଛାତ୍ରଙ୍କ ମୃତ୍ୟୁ

ରସୁଲପୁର,୨୨।୧୧(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ସାନଓରାଳି ସୂର୍ଯ୍ୟନାରାୟଣ ନୋଡାଲ ଉପ୍ରା ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଉଠବସ୍‌ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ ସାନଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ ତଥା ୪ର୍ଥ ଶ୍ରେଣୀ ଛାତ୍ର ରୁଦ୍ରନାରାୟଣ ସେଠୀ(୧୧)। ମଙ୍ଗଳବାର ବିଦ୍ୟାଳୟରେ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ଉଠ୍‌ବସ୍‌ ହେବାକୁ କହିଥିଲେ। ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ର ଜଣକ ୩/୪ଥର ଉଠ୍‌ବସ ହେଉଥିବାବେଳେ ଅସୁସ୍ଥ ହୋଇ ଚଟାଣରେ ଟଳିପଡ଼ିଥିଲେ। ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଛାତ୍ରଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ
କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବିଦ୍ୟାଳୟ ଶିକ୍ଷକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ମୁତାବକ, ଶ୍ରେଣୀଗୃହରେ ପାଠପଢ଼ା ଯାଉଥିବା ସମୟରେ ରୁଦ୍ର ନାରାୟଣ ବାହାରେ ବୁଲାବୁଲି କରୁଥିଲେ। ଶିକ୍ଷକ ଏହା ଦେଖି ତାଙ୍କୁ ଶ୍ରେଣୀ କକ୍ଷକୁ ଡାକିବା ସହ କେତେକ ପାଠ ସମ୍ପର୍କରେ ପଚାରିଥିଲେ। ସେ ଉତ୍ତର ଦେଇ ନ ପାରିବାରୁ ଶିକ୍ଷକ ଉଠବସ୍‌ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନିତ୍ୟାନନ୍ଦଙ୍କ ବଡ଼ପୁଅ ପୁସ୍‌ଫୁସ୍‌ ଜନିତ ରୋଗର ଶିକାର ହୋଇ ଛୋଟବେଳୁ ମୃତ୍ୟୁବରଣ କରିଥିଲେ। ଏବେ ସାନପୁଅଙ୍କ ଅକାଳ ବିୟୋଗ ପରିବାର ଲୋକଙ୍କୁ ବହୁ ଦୁଃଖ ପହଞ୍ଚାଇଛି। ଛାତ୍ରଙ୍କ ମୃତଦେହ ସଂରକ୍ଷିତ ରଖାଯାଇଛି। ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Share