ବ୍ରହ୍ମପୁର ଅଫିସ,୫ା୬: ଫ୍ୟାନ୍ ସୁଇଚ୍ ଲଗାଇବା ବେଳେ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ପୁଅ ସୂର୍ଯ୍ୟନାରାୟଣ(୧୫)। ବ୍ରହ୍ମପୁର ସଦର ଥାନା ପୋଲିସ ଏମ୍କେସିଜି ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୩୦/୨୨) ରୁଜୁ କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ମୁତାବକ, ଦିଗପହଣ୍ଡି ଥାନା ଅଧୀନ ମୋହଡ଼ାର ସୂର୍ଯ୍ୟନାରାୟଣ ପାଠ ପଢ଼ିବା ପାଇଁ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ରହୁଥିଲେ। ରବିବାର ସେ ଘରେ ଏକ ଫ୍ୟାନ୍ ସୁଇଚ୍ ଲଗାଉଥିଲେ। ସେତିକିବେଳେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ। ପୁଅର ଚିତ୍କାର ଶୁଣି ବାପା ହରିଶ୍ଚନ୍ଦ୍ର ତୁରନ୍ତ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।