ସ୍କୁଲରେ ବିଷ ପିଇଲେ ଛାତ୍ରୀ

ଧରାକୋଟ,୧୬ା୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ବଡ଼ଗଡ ଥାନା ଅନ୍ତର୍ଗତ ବାହଁରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନ ବିରତି ସମୟରେ ୭ମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ଛାତ୍ରୀ ଜଣଙ୍କ କାହିଁକି ବିଷ ପିଇଲେ ତାହାର ପ୍ରକୃତ କାରଣ ଜଣାପଡିନି।
ପ୍ରକାଶ ଯେ, ଛାତ୍ରୀ ଜଣଙ୍କ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ନ କରି ସବୁଦିନ ଭଳି ଘରେ ଖାଇବାକୁ ଯାଇଥିଲେ। ଘରୁ ଆସିବା ବେଳେ ଏଟିଏମ୍‌ରୁ ଟଙ୍କା ଆଣି ଦେବାକୁ ମା’ କହିଥିଲେ। ମା’ଙ୍କୁ ଟଙ୍କା ଦେଇ ସେ ସ୍କୁଲକୁ ଆସିଥିଲେ। ମଧ୍ୟାହ୍ନଭୋଜନ ପରେ ପିଲାମାନେ ଖେଳୁଥିବା ବେଳେ ଛାତ୍ରୀ ଜଣଙ୍କ ବୋତଲରୁ କୌଣସି ତରଳ ପଦାର୍ଥ ପିଇ ଦେଇଥିଲେ। ତାଙ୍କର ଜଣେ ସହପାଠିନୀ ଏହା ଦେଖି ଜୋରରେ ପାଟି କରିଥିଲେ। ବିଷ ପିଇ ଛାତ୍ରୀ ବାନ୍ତି କରିବାରୁ ଶିକ୍ଷକମାନେ ତୁରନ୍ତ ଧରାକୋଟ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଏ ନେଇ ପ୍ରଧାନ ଶିକ୍ଷକ ପଦ୍ମଚରଣ ପଣ୍ଡାଙ୍କୁ ପଚାରିବାରେ ବିଦ୍ୟାଳୟରେ ଛାତ୍ରୀଙ୍କର କୌଣସି ଅସୁବିଧା ନ ଥିଲା, କାହିଁକି ସେ ଏପରି କଲେ ଜଣାପଡିନି ବୋଲି କହିିଛନ୍ତି।

Share