ଠିକାଦାରଙ୍କ ମନମାନି: ରାସ୍ତା ଖୋଳି ଛାଡ଼ିଦେଲେ, ଗାତରେ ପଡ଼ି ଛାତ୍ରୀଛାତ୍ର ଆହତ

ବରୀ,୨୬ା୯(ମହେନ୍ଦ୍ର ସ୍ବାଇଁ): ପାନୀୟ ଜଳ ଯୋଗାଣ ନିମନ୍ତେ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର ହୋଇଛି। କିନ୍ତୁ ଦାୟିତ୍ୱରେ ଥିବା ଠିକାଦାର ନିଜର ମନମାନି ଯୋଗୁ ଦୀର୍ଘଦିନ ଧରି ଗ୍ରାମ୍ୟ ରାସ୍ତାକୁ ଖୋଳି ଦେଇ କାର୍ଯ୍ୟ ନ କରିବାରୁ ଯାତାୟାତରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଖୋଳା ଯାଇଥିବା ସ୍ଥାନଗୁଡ଼ିକରେ ପ୍ରବଳ କାଦୁଅ ହେଉଥିବା ଏବଂ ଲୋକମାନେ ଠିକାଦାରଙ୍କୁ ଅବଗତ କଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଉ ନ ଥିବାର ଦେଖିବାକୁ ମିଳିଛି। ଗୁରୁବାର ଛାତ୍ରୀଛାତ୍ର ସାଇକେଲ ଯୋଗେ ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ୭/୮ଜଣ ଛାତ୍ରୀଛାତ୍ର ଏହି ଗାତରେ ପଡ଼ି ଆହତ ହୋଇଥିବାର ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଠିକାଦାରଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବିରୋଧ କରିବା ସହିତ ଶୀଘ୍ର କାର୍ଯ୍ୟ ଶେଷ ନ କଲେ ଆଗାମୀ ଦିନରେ ରାସ୍ତାରୋକୋ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।