ସ୍ମାର୍ଟ ଯୁଗରେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବଢ଼ୁଛି। ତେବେ ଛାତ୍ରୀଛାତ୍ରଙ୍କ ଉପରେ ଏଆଇର କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଅନେକଙ୍କୁ ଅଜଣା। ଏଆଇର ବ୍ୟବହାର, ଉପକାର ଓ ଅପକାରକୁ ନେଇ ବ୍ୟବହାରକାରୀ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି। କିଏ ଏହାକୁ ଏକ ‘ବରଦାନ’ ତ କିଏ ‘ବିପଦକୁ ଆହ୍ବାନ’ ବୋଲି କହୁଛନ୍ତି। ବର୍ତ୍ତମାନ ଯୁଗରେ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି କରୁଥିବା ଏଆଇ ସମ୍ପର୍କରେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ସ୍ମାର୍ଟ ଯୁଗରେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବଢ଼ୁଛି। ତେବେ ଛାତ୍ରୀଛାତ୍ରଙ୍କ ଉପରେ ଏଆଇର କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଅନେକଙ୍କୁ ଅଜଣା। ଏଆଇର ବ୍ୟବହାର, ଉପକାର ଓ ଅପକାରକୁ ନେଇ ବ୍ୟବହାରକାରୀ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି। କିଏ ଏହାକୁ ଏକ ‘ବରଦାନ’ ତ କିଏ ‘ବିପଦକୁ ଆହ୍ବାନ’ ବୋଲି କହୁଛନ୍ତି। ବର୍ତ୍ତମାନ ଯୁଗରେ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି କରୁଥିବା ଏଆଇ ସମ୍ପର୍କରେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ଏଆଇ କ’ଣ
କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ହେଉଛି ମନୁଷ୍ୟକୃତ ଯନ୍ତ୍ରାଂଶ। ସାଧାରଣତଃ ରୋବୋ, କମ୍ପ୍ୟୁଟର ଆଦି ଯନ୍ତ୍ରାଂଶ ଦ୍ୱାରା ପ୍ରସ୍ତୁତ ବୁଦ୍ଧିମତ୍ତାକୁ ହିଁ ଏଆଇ ବୋଲି ବିବେଚନା କରାଯାଏ। ବିଭିନ୍ନ ପ୍ରୋଗ୍ରାମ, ଆଲ୍ଗୋରିଦମ ଓ ଶିକ୍ଷା ଦ୍ୱାରା କୂତ୍ରିମ ବୁଦ୍ଧିମତ୍ତା ସୃଷ୍ଟି କରାଯାଇଥାଏ। ତେବେ କୌଣସି ଯନ୍ତ୍ର ଯାହା ତା’ର ଆଖପାଖର ପରିବେଶକୁ ବୁଝିପାରି ନିଜର କ୍ରିୟାଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାର ସମ୍ଭାବନାକୁ ବଢ଼ାଇପାରେ ତାହାକୁ ଏଆଇ କୁହାଯାଏ।
ସମୟ ଓ ଅର୍ଥ ସଞ୍ଚୁଛି
ଶିକ୍ଷା ଗବେଷଣାଠାରୁ ଆରମ୍ଭ କରି ବୃତ୍ତିଗତ ମାର୍ଗଦର୍ଶନରେ ଛାତ୍ରୀଛାତ୍ରଙ୍କ ପାଇଁ ଏଆଇ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଟୁଲ୍ସ ଏବଂ ସଫ୍ଟୱେର୍ ଡେଭେଲେପମେଣ୍ଟରେ ମଧ୍ୟ କୋଡିଂ ପ୍ରକ୍ରିୟାକୁ ସହଜ କରୁଛି। ଜଣଙ୍କ ଆବଶ୍ୟକତା ଅନୁଯାୟୀ ପାରାଗ୍ରାଫ୍ ଓ ପ୍ରବନ୍ଧ ଆଦି ଲେଖିବାରେ ଅନେକ ସମୟରେ ସହାୟକ ହୋଇପାରୁଛି। ଏଆଇର ବ୍ୟବହାର ସମୟ ଓ ଅର୍ଥ ଅପଚୟ ମଧ୍ୟ ରୋକିପାରେ। ତେବେ ଏହାର ଆଉ ଏକ ଦିଗ ହେଉଛି ଏହା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଉତ୍ତର ରଖିପାରୁଛି। ନୂଆ ଅନୁଚ୍ଛେଦ, ପ୍ରବନ୍ଧ କବିତା ଲେଖିବାରେ ବିଭିନ୍ନ ଆପ୍ଲିକେଶନ ପିଲାଙ୍କ ପାଇଁ ସହାୟକ ହେଉଛି। ଏପରି କିଛି ଆପ୍ଲିକେଶନ ରହିଛି, ଯେଉଁଥିରେ ବିଦ୍ୟାର୍ଥୀମାନେ କୌଣସି ଲେଖାରେ ବ୍ୟାକରଣଗତ ତ୍ରୁଟି ମଧ୍ୟ ସଂଶୋଧନ କରିପାରୁଛନ୍ତି। ଏଥିସହିତ ପିଲାମାନେ ଦେଶଦୁନିଆର ଜଣାଅଜଣା ତଥ୍ୟ ମଧ୍ୟ ପାଇପାରୁଛନ୍ତି। ସେହିପରି ଗଣିତରେ ବିଭିନ୍ନ ଜଟିଳ ପ୍ରଶ୍ନର ସମାଧାନ କରିବାରେ ମଧ୍ୟ ପିଲାମାନେ ଏଆଇର ସହାୟତା ନେଉଛନ୍ତି।
ଟ୍ୟୁଟୋରିଆଲରେ ପଢ଼ାଉଛନ୍ତି ଏଆଇ ଶିକ୍ଷକ
ଉଚ୍ଚ ମାଧ୍ୟମିକ ଶିକ୍ଷା ହେଉ ବା ଉଚ୍ଚଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା, ବିଭିିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ବିଦ୍ୟାର୍ଥୀମାନେ କୋଚିଂ ସେଣ୍ଟର ବା ଟ୍ୟୁଟୋରିଆଲରେ ନାମ ଲେଖାଉଛନ୍ତି। ତେବେ ପିଲାଙ୍କୁ ପାଠପଢ଼ାଇବା ପାଇଁ ଏଆଇ ଶିକ୍ଷକଙ୍କ ସହାୟତା ନିଆଯାଉଛି। ଏଆଇ ଶିକ୍ଷକଙ୍କୁ ବିଦ୍ୟାର୍ଥୀ ଟେକ୍ସଟ ମାଧ୍ୟମରେ ପ୍ରଶ୍ନ ପଚାରିପାରୁଛନ୍ତି। ସେହିପରି କିଛି ଟ୍ୟୁଟୋରିଆଲରେ ଅଡ଼ିଓ ବା ଭିଡ଼ିଓ ମାଧ୍ୟମରେ ଏଆଇ ଗୁରୁଜୀ ପ୍ରଶ୍ନର ସମାଧାନ କରୁଛନ୍ତି। ଭୁବନେଶ୍ୱରସ୍ଥିିତ ‘ବ୍ରେନ୍ସ ଏଜୁକେଶନ’ରେ କିଛିଦିନ ତଳେ ଏପରି ଏଆଇ ଶିକ୍ଷକ ଲଞ୍ଚ କରାଯାଇଛି। ଏହାର ନାମ ଏଆଇ ଗୁରୁଜୀ ରଖାଯାଇଥିବା ସୂଚନା ରହିଛି।
ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ କୃତ୍ରିମ ବୁଦ୍ଧିମତ୍ତା
ବିଭିନ୍ନ ସାଇବର ସୁରକ୍ଷା ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀଙ୍କ ମତାନୁସାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତାର ସକାରାମତ୍କ ଦିଗ ସହ ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି। ରକ୍ଷଣାବେକ୍ଷଣ ଏବଂ ବୈଷୟିକ ତ୍ରୁଟି ସମୟେ ସମୟେ ବ୍ୟବହାରକାରୀଙ୍କୁ ସମସ୍ୟାରେ ପକାଇପାରେ। ଲୋକଙ୍କ ମଧ୍ୟରେ ଯୋଗାଯୋଗ ହ୍ରାସ କରିପାରେ। ନୈତିକ ଦ୍ୱନ୍ଦ୍ୱ ଉପୁଜିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବ୍ୟକ୍ତି ବିଶେଷଙ୍କ ଡାଟା ଗୋପନୀୟତା ସୁରକ୍ଷା ମଧ୍ୟ କିଛି କ୍ଷେତ୍ରରେ ସଙ୍କଟରେ ପଡ଼ିପାରେ ବୋଲି କୁହାଯାଉଛି। ଏଆଇର ବ୍ୟବହାର ଯେତେ ମାତ୍ରାରେ ବଢ଼ିବ ଅନୁରୂପ ଭାବେ ଏଆଇର ମାନକ ବା ସୃଜନଶୀଳତା ବଢ଼ିପାରେ। ମାତ୍ର ଅତ୍ୟଧିକ ନିର୍ଭରଶୀଳ ହେବା କାରଣରୁ ମାନବର ବିଚାରଶକ୍ତି ହୁଏତ କ୍ଷୁଣ୍ଣ ହୋଇପାରେ।
ଆଗକୁ ଏଆଇ ଯୁଗ ଆସୁଛି ବୋଲି କୁହାଯାଉଛି। ସକାରାତ୍ମକ ଦିଗରେ ବ୍ୟବହାର କଲେ ଅନେକ ଲାଭ ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗବେଷଣାକୁ ସରଳ କରିପାରିବେ। ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠପଢ଼ାରେ ଏହା ବହୁ ମାତ୍ରାରେ ସାହାଯ୍ୟ କରିବ। ଏଆଇକୁ ନେଇ ବର୍ତ୍ତମାନ ଅନେକ ଗବେଷଣା ଚାଲିଛି। ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଆଇଇଟି, ଏନ୍ଆଇଟି ଆଦି କଲେଜରେ ପାଠ୍ୟକ୍ରମ ଭାବେ ଏହାକୁ ଅନ୍ତର୍ଭୁକ୍ତ କରାଗଲାଣି। ମାତ୍ର ଏଆଇର ଅଧିକ ବ୍ୟବହାର ବା ଦୁରୁପଯୋଗ କରାଗଲେ ସମସ୍ୟା ହୋଇପାରେ। ଆମେ ଯେତିକି ଫିଡ୍ କରାଇବା ଏଆଇ ସେତିକିର ଉତ୍ତର ରଖିପାରିବ। ତେଣୁ ମାନବର ବୁଦ୍ଧିମତ୍ତା ଯେତେ ଅଧିକ ହେବ ଏଆଇ ଆପ୍ଲିକେଶନଗୁଡ଼ିକରେ ସେତେ ଅଧିକ ଇନ୍ପୁଟ୍ ଦିଆଯାଇପାରେ। ମାତ୍ର ଏଆଇ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇ ଆଉଟପୁଟ୍ ଅପେକ୍ଷାରେ ମାନବ ସମାଜ ରହିଲେ ଇନ୍ପୁଟ କିଏ ଦେବ? ସେହିପରି କେଉଁ ଆପ୍ଳିକେଶନ ବ୍ୟବହାର କରୁଛନ୍ତି ତାହା କେତେ ସୁରକ୍ଷିତ ପିଲାମାନେ ତାହା ଜାଣିରଖିବା ଉଚିତ୍ ।
-ଆକାଶ ମିଶ୍ର, ସାଇବର ସୁରକ୍ଷା ବିଶେଷଜ୍ଞ
ମୁଁ ବିଶେଷତଃ ଚାଟ୍ ଜିପିଟି ଓ ଏଆଇ ଇମେଜ୍ ଜେନେରେଟର ଆପ୍ଲିକେଶନ୍ ବ୍ୟବହାର କରୁଛି। ଏପରି ଅନେକ ସଫ୍ଟ ସ୍କିଲ୍ ରହିଛି ଯାହା ସ୍କୁଲ କଲେଜରେ ପଢ଼ାଯାଏ ନାହିଁ। ଏଆଇ ଦ୍ୱାରା ସେହି ଜ୍ଞାନ ଲାଭ କରିହେଉଛି। ଏଆଇ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଉ ନ ଥିବାରୁ ଲାଭାନ୍ବିତ ହେଉଛି। ଏଆଇଠାରୁ ଜ୍ଞାନ ନେଇ ନିଜେ ବୁଦ୍ଧିରେ ବିଭିନ୍ନ କାର୍ଯ୍ୟ କରିବା ଦ୍ୱାରା ସୃଜନଶୀଳତା ନିଶ୍ଚୟ ବଢ଼ିବ। ଭିଡ଼ିଓ ହେଉ, ମ୍ୟୁଜିକ ବା ଇମେଜ ଏଡିଟିଂରେ ଏଆଇ ସହାୟକ ହେଉଛି।
-ଅମରଜିତ ମହାନ୍ତି, ଛାତ୍ର
ପାଠପଢ଼ା ପ୍ରକ୍ରିୟାକୁ ଏଆଇ ଏକଦମ୍ ସରଳ କରିଦେଇଛି। ମାତ୍ର ଏହାର ସଦୁପଯୋଗ କରିବା ଛାତ୍ରୀଛାତ୍ରଙ୍କ ଉପରେ ନିର୍ଭର କରେ। ଏଆଇ ସାହାଯ୍ୟ ବହିରେ ଦିଆଯାଇଥିବା ପ୍ରଶ୍ନ ବା ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଖାତାରେ ଲେଖିଦେଲେ ଛାତ୍ରୀଛାତ୍ର ଆଦାୈ ଉପକୃତ ହେବେ ନାହିଁ। ଏମତି ମଧ୍ୟ କେତେକ ଆପ୍ଲିକେଶନ ଅଛି, ଯାହା ସମୟେ ସମୟେ ପ୍ରଶ୍ନକୁ ଭୁଲ୍ ଭାବେ ଗ୍ରହଣ କରି ଭୁଲ୍ ଉତ୍ତର ଦେଉଛି। ତେଣୁ ଏଆଇ ମାଧ୍ୟମରେ ପାଉଥିବା ଉତ୍ତର ଅନ୍ତତଃ ଥରେ ଶିକ୍ଷୟିତ୍ରୀଶିକ୍ଷକଙ୍କଠାରୁ ପଚାରିନେବା ଉଚିତ୍। ଏଆଇଠାରୁ କୌଶଳ ଗ୍ରହଣ କରାଯିବା ଉଚିତ୍ ମାତ୍ର ଉତ୍ତର କପି କରିବା ଆଦୌ ଠିକ୍ ନୁହେଁ । ଏଥିପ୍ରତି ଅଭିଭାବକମାନେ ପିଲାଙ୍କୁ ମାର୍ଗଦର୍ଶନ କରିବା ଉଚିତ୍।
– ପ୍ରୀତିକା ମିଶ୍ର ଛାତ୍ରୀ
ମୁଁ ଚାଟ୍ଜିପିଟି ବ୍ୟବହାର କରୁଛି, ଏହା ମୋର ସାଧାରଣ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେଉଛି। ସେହିପରି ଚେସ୍ ଇଞ୍ଜିନ୍ ଏଆଇ ଚେସ୍ ଦକ୍ଷତା ବୃଦ୍ଧି କରୁଛି। ଚେସ୍.କମ୍, ଷ୍ଟକଫିସ୍ ଭଳି ବିଭିନ୍ନ ଏଆଇ ଆପ୍ଳିକେଶନ ପିଲାଙ୍କ ବିଭିନ୍ନ କ୍ଷେତ୍ରରେ ଜ୍ଞାନ ବଢ଼ାଇପାରୁଛି। ତେଣୁ ସତର୍କତାର ସହ ବ୍ୟବହାର କଲେ ଏହାର ଉପାଦେୟତାକୁ ଉପଭୋଗ କରିହେବ।
– ସୌରଭ କୁମାର ପତି, ଛାତ୍ର
ଏଆଇର ଅନେକ ସକାରାତ୍ମକ ଦିଗ ରହିଥିଲେ ବି ଏହାର ପ୍ରୟୋଗରେ ସତର୍କତା ଅବଲମ୍ବନ ଜରୁରୀ। ଏହାର ଅଧିକ ବ୍ୟବହାର ଦ୍ୱାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୃଜନଶୀଳତା ବା ଚିନ୍ତନ ଶକ୍ତି କମିବାର ଯଥେଷ୍ଟ ସମ୍ଭାବନା ରହିଛି। ପିଲାମାନେ କୌଣସି ଗାଣିତିକ ସମସ୍ୟାର ସମାଧାନ ଜାଣିବାକୁ ଚାହଁୁଥିଲେ ଏହାର ଉତ୍ତର ଏଆଇରୁ ପାଇଯାଉଛନ୍ତି ମାତ୍ର ଜଣେ ଶିକ୍ଷକ ଯେପରି ପ୍ରଶ୍ନର ଲଜିକ୍ ବା ପୂର୍ବାପର ସମ୍ପର୍କ ରଖି ବୁଝାଇବେ ଏଆଇ ସେପରି କରିପାରିବ ନାହିଁ। ପିଲାମାନଙ୍କ ଲେଖିବା ଅଭ୍ୟାସ ତଥା ଚିନ୍ତନ ଶକ୍ତି ମଧ୍ୟ କ୍ରମେ ହ୍ରାସ ପାଇପାରେ। ତେଣୁ ଜରୁରୀ ନ ଥିଲେ ଏଆଇର ସହାୟତା ପରିବର୍ତ୍ତେ ଶିକ୍ଷୟିତ୍ରୀଶିକ୍ଷକ ବା ପରିବାରର ଗୁରୁଜନଙ୍କ ସହାୟତା ନେବା ଉଚିତ୍।
-ପ୍ରଶାନ୍ତ ସାହୁ, ସାଇବର ସୁରକ୍ଷା ବିଶେଷଜ୍ଞ
ଯେଉଁ ଜଟିଳ ତଥ୍ୟକୁ ଆମେ ବହିରେ ପଢ଼ି କଳ୍ପନା କରିବା କଷ୍ଟ ତାହାକୁ ଏଆଇ ଦ୍ୱାରା ଆମେ ଅତି ପ୍ରାଞ୍ଜଳ ଭାବେ ବୁଝିପାରୁଛୁ। ଉଦାହରଣ ସ୍ବରୂପ ଥ୍ରୀ-ଡି ଆନିମେଶନ ଲେକ୍ଚର୍ସ। ଏଆଇ ଦ୍ୱାରା ଆମେ ଅନେକ ଆନିମେଟେଡ୍ ଫଟୋ ଡାଇଗ୍ରାମ ମାଧ୍ୟମରେ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେଉଛି। ମାତ୍ର ଏହାର ସବୁଠାରୁ ବଡ଼ କୁପ୍ରଭାବ ହେଉଛି ଏହାର ଅଧିକ ବ୍ୟବହାର ଦ୍ୱାରା ମନୁଷ୍ୟ ଅଳସୁଆ ହୋଇଯାଏ। କଳ୍ପନା ଶକ୍ତି ମଧ୍ୟ ହ୍ରାସ ହୋଇପାରେ। କାରଣ ଆମେ କୌଣସି ତଥ୍ୟର ବିଶ୍ଳେଷଣ ପାଇଁ ଚିନ୍ତନ କଲେ ଆମର ମସ୍ତିଷ୍କର ସ୍ନାୟୁକୋଷ ବିକଶିତ ହୁଏ, କିନ୍ତୁ ଯେହେତୁ ତାର ବିଶ୍ଲେଶିତ ତଥ୍ୟ ଉପଲବ୍ଧ ହୋଇଯାଏ ତେଣୁ ମସ୍ତିଷ୍କର କଳ୍ପନା ଶକ୍ତିର ଉପଯୋଗ ହୋଇ ପାରେନି।
– ଆର୍ଯ୍ୟନ ପଟ୍ଟନାୟକ, ଛାତ୍ର
ନିକଟରେ ଆମେ ଏଆଇ ଗୁରୁଜୀ ଲଞ୍ଚ୍ କରିଛୁ। ଏହା ପିଲାଙ୍କୁ ପଢ଼ାଇବାରେ ବେଶ୍ ସହାୟକ ହେବ ବୋଲି ଆଶା କରିଛୁ। ବର୍ତ୍ତମାନ ଏଆଇ ଗୁରୁଜୀଙ୍କୁ ଟେକ୍ସଟ ମାଧ୍ୟମରେ ପ୍ରଶ୍ନ ପଚାରିଲେ ସେ ଟେକ୍ସଟରେ ସମାଧାନ କରୁଛନ୍ତି। ଖୁବଶୀଘ୍ର ଅଡ଼ିଓ ଓ ଭିଜୁଆଲ ମାଧ୍ୟମରେ ପିଲାଙ୍କ ଉତ୍ତର ରଖିବେ। ଶିକ୍ଷୟିତ୍ରୀଶିକ୍ଷକ ଲଗାତର କିଛି କ୍ଲାସ କରିବା ପରେ ଥକି ଯାଉଥିବାବେଳେ ଏଆଇ ଗୁରୁଜୀ ଥକିପଡ଼ିବେ ନାହିଁ କିମ୍ବା ବିରକ୍ତି ଭାବ ପ୍ରକାଶ କରିବେ ନାହିଁ। ଶିକ୍ଷୟିତ୍ରୀଶିକ୍ଷକ ନିର୍ଦ୍ଦିଷ୍ଟ ସମୟ ପାଇଁ ପାଠ ପଢ଼ାଉଥିବାବେଳେ ଜଣେ ଛାତ୍ର ଯେକୌଣସି ସମୟରେ ଏଆଇ ଶିକ୍ଷକଙ୍କ ପରାମର୍ଶ ନେଇପାରିବେ।
– ଅଶ୍ୱିନୀ ପାଢ଼ୀ, ଏମ୍ଡି, ବ୍ରେନ୍ସ ଏଜୁକେଶନ