ମାଲକାନଗିରି,୩୦।୧୦(ଡି.ଏନ୍.ଏ): ଦୀପାବଳି ଅବସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମାଟିହାଣ୍ଡିରେ ବାଣ ରଖି ଫୁଟାଇବାବେଳେ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଛାତ୍ରଟି ଗୁରୁତର ଆହତ ହୋଇ ମାଲକାନଗିରି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ମାଲକାନଗିରି ସଦର ମହକୁମା ତଳସାହିରେ ରହୁଥିବା ବାନ୍ଧବ ଭତ୍ରାଙ୍କ ପୁଅ ବାଦଲ ଭତ୍ରା(୧୩)। ସେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ତାଙ୍କ ମା’ ସୁକାନ୍ତି ଭତ୍ରା ଟେଲରିଂ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।
ବିସ୍ଫୋରଣ ପରେ ପରିବାର ଲୋକ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏହି ପରିପ୍ରେକ୍ଷୀରେ ରବିବାର ମାଲକାନଗିରି ଜିଲା ଦର୍ଜି ସଂଘର ସମ୍ପାଦକ ଏ. ବାଲାରାଜୁ, କୋଷାଧ୍ୟକ୍ଷ ବକ୍ସିଧର ସେଠୀ, ଗୁପ୍ତେଶ୍ୱର ମହାନ୍ତିଙ୍କ ସହ ୨୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଡାକ୍ତରଖାନାକୁ ଯାଇ ବାଦଲଙ୍କୁ ଭେଟିବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ଏପରି କି ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିଲ ମିଶ୍ର ଏବଂ ଡାକ୍ତରଖାନା ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତରାଙ୍କ ଉପସ୍ଥିତିରେ ବାଦଲଙ୍କ ଚିକିତ୍ସା କରାଯାଉଛି। ଖୁବ୍ ଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡା. ମିଶ୍ର ପ୍ରକାଶ କରିଛନ୍ତି।