ଛୁଟି ପରେ ସ୍କୁଲ ନ ଯାଇ ଗଛମୂଳେ ପଢୁଛନ୍ତି ଛାତ୍ରୀଛାତ୍ର

ଉମରକୋଟ, ୨୧।୧୦(ସନ୍ତୋଷ ଶତପଥୀ): ନବରଙ୍ଗପୁରରେ ଜିଲାଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ଅଭିଭାବକଙ୍କ ସମର୍ଥନ ବଢ଼ୁଛି। ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲା ବନ୍ଦ, ସ୍କୁଲରେ ନୂତନ ଶିକ୍ଷକଙ୍କ ଯୋଗଦାନକୁ ବିରୋଧ ପରେ ମଧ୍ୟ ସରକାର ଦାବିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ପଠାଉ ନାହାନ୍ତି।

ଦଶହରା ଛୁଟି ପରେ ଶୁକ୍ରବାରରୁ ସ୍କୁଲ ଖୋଳିଥିବାବେଳେ ସେବେଠାରୁ ହିଁ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ୁନାହାନ୍ତି। ସୋମବାର ସ୍କୁଲ ଖୋଲିବାର ତୃତୀୟ ଦିନରେ ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତସ୍ଥିତ ସିରଲିଗୁଡ଼ା ଗ୍ରାମବାସୀ ପିଲାଙ୍କୁ ସ୍କୁଲ ପଠାଇ ନ ଥିଲେ।

ପିଲାମାନଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନ ହେବ ସେଥିପାଇଁ ଏକ ଗଛମୂଳେ ଗାଁର ଶିକ୍ଷିତ ଯୁବତୀଯୁବକ ସେମାନଙ୍କୁ ପଢ଼ାଉଥିବା ଦେଖିବାକୁ ମିଳିଛି। ଛାତ୍ରୀଛାତ୍ର ଗଛ ମୂଳେ ପଢ଼ୁଥିବା ଖବର ପାଇ ସିରଲିଗୁଡା ସ୍କୁଲ ପ୍ରଧାନଶିକ୍ଷକ ଦିବ୍ୟରଞ୍ଜନ ସୁନାନୀ ଘଟଣାସ୍ଥଳକୁ ଆସି ଅଭିଭାବକଙ୍କୁ ବୁଝାଇ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅନୁରୋଧ କରିଥିଲେ। ଅଭିଭାବକମାନେ କିନ୍ତୁ ନିଜ ଜିଦ୍‌ରେ ରହିଥିଲେ।

ଯେବେ ପର୍ଯ୍ୟନ୍ତ ଜିଲାଭିତ୍ତିକ ନିଯୁକ୍ତିକୁ ନେଇ ସରକାର ଦାବି ମାନି ନାହାନ୍ତି ସେତେଦିନ ଧରି ପିଲାଙ୍କୁ ସ୍କୁଲ ଛାଡିବୁ ନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ଘଟଣାକୁ ନେଇ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ପଚାରିବାରୁ ଉମରକୋଟ ବ୍ଲକର ୧୮୩ ସ୍କୁଲରେ ପାଠପଢ଼ା ଚାଲିଥିଲା। ୯୫ ସ୍କୁଲକୁ ପିଲା ଆସି ନ ଥିବାରୁ ପାଠପଢ଼ା ହୋଇ ନ ଥିବା ସେ କହିଛନ୍ତି।

Share