ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି: ପ୍ରତିବାଦରେ ରାସ୍ତାରୋକୋ ଆନ୍ଦୋଳନ

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ ସୋମବାର ଛାତ୍ରୀମାନେ କଲେଜ ଗେଟ୍‌ ଏବଂ କଲେଜ ସମ୍ମୁଖ ରାସ୍ତା ଅବରୋଧକରି ଆନ୍ଦୋଳନ କରିଥିଲେ। ଛାତ୍ରୀମାନଙ୍କ ଆଭିଯୋଗ ଅନୁସାରେ, ଯୁକ୍ତ ୩ ତୃତୀୟ ବର୍ଷର ୩ୟ ସେମିଷ୍ଟର ପରୀକ୍ଷାରେ କମ୍ୟୁନିକେଟିଭ ଇଂରାଜୀ ବିଷୟରେ କଲେଜରେ ପଢ଼ାଯାଇଥିବା ପାଠ ସହ ସିଲାବସ୍‌ ବାହାରୁ ପ୍ରଶ୍ନ ପଡ଼ିଥିଲା। ବର୍ତ୍ତମାନ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ୯୦ ପ୍ରତିଶତ ଛାତ୍ରୀଙ୍କ ପରୀକ୍ଷା ଖରାପ ହୋଇଛି। ଏ ନେଇ ଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇ ଥିବା ଛାତ୍ରୀମାନେ କହିଛନ୍ତି। ଏନେଇ ଛାତ୍ରୀମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେବା ସହ ସମସ୍ତ ଛାତ୍ରୀଙ୍କୁ ପାସ୍‌ ମାର୍କ ଦେବାକୁ ଦାବି ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଭାକର ନାୟକ କହିଛନ୍ତି, ସମାନ ବିଷୟରେ କଲେଜର ଅନେକ ଛାତ୍ରୀ ପାସ୍‌ କରିଛନ୍ତି । ଏହା ପରେ ମଧ୍ୟ ଛାତ୍ରୀଙ୍କ ଅଭିଯୋଗକୁ ନେଇ ଲିଖିତ ଭାବେ କଣ୍ଟ୍ରୋଲରଙ୍କ ପାଖକୁ ପଠାଇଥିବା ସେ କହିଛନ୍ତି।

Share