ବ୍ୟାନର ପାଇଁ ଗଲା ଛାତ୍ରଙ୍କ ଜୀବନ

ବଡ଼ବିଲ, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଆଇଟିଆଇରେ ଏକ ବ୍ୟାନର ବାନ୍ଧିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଗୁରୁତର ଅଛନ୍ତି। ମୃତକ ଛାତ୍ର ହେଲେ ମୟୂରଭଞ୍ଜ ଜିଲା ରରୁଆଁ ଅଞ୍ଚଳର ସରୋଜ କୁମାର ଘଣା। ଅନ୍ୟ ଛାତ୍ର ଜଣକ ହେଲେ କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଅଞ୍ଚଳର ସମୀର କୁମାର ରଣା। ଛାତ୍ର ଦୁଇଜଣ ବଡ଼ବିଲ ଆଇଟିଆଇ ହଷ୍ଟେଲରେ ରହି ଫିଟର ଟ୍ରେଡରେ ତାଲିମ ନେଉଥିଲେ ।
ସୂଚନା ଅନୁଯାୟୀ, ସୋମବାର ବଡ଼ବିଲ ଆଇଟିଆଇରେ ନ୍ୟାଶନାଲ ଆପ୍ରେଣ୍ଟିସେଶିପ୍‌ ମେଳା ଅନୁଷ୍ଠିତ ହେଉଥିଲା। ଏହି ସଂକ୍ରାନ୍ତରେ ଲେଖାଯାଇଥିବା ଏକ ବ୍ୟାନରକୁ କିଛି ଛାତ୍ର ଅନୁଷ୍ଠାନର ମୁଖ୍ୟ ଫାଟକରେ ଉପରେ ବାନ୍ଧିବା ପାଇଁ ଯାଇଥିଲେ। ତେବେ ସିଡ଼ି ଲଗାଇ ବ୍ୟାନର ବାନ୍ଧିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ଛାତ୍ର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯୋଡାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ସରୋଜଙ୍କୁ ମୃତ ଘୋଷଣା କରିଥିଲେ।

Share