ଖେଳିବାକୁ ଯାଇ ଫେରିନାହାନ୍ତି ଦ୍ୱିତୀୟ ଶ୍ରେଣୀ ଛାତ୍ର, ବଳି ସନ୍ଦେହ

ହାଟଡିହୀ,୨୫ା୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସୋସୋ ଥାନା ରୁଗୁଡ଼ିଆ(ଖଣି ବଜାର) ଗ୍ରାମର ଜଣେ ଦିତୀୟ ଶ୍ରେଣୀ ଛାତ୍ର ଖେଳିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ବାପା ବିଜୟ ପୂର୍ତ୍ତିଙ୍କର ଗତ ୪ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ମା’ ଅନ୍ୟତ୍ର ପଳାଇ ଥିଲେ। ଫଳରେ ଶିଶୁଟି ଖୁଡ଼ୀ ସୁନାମଣି ପୂର୍ତ୍ତିଙ୍କ ଘରେ ରୁହନ୍ତି। ସେ ରୁଗୁଡ଼ିଆ ସ୍କୁଲର ଦିତୀୟ ଶ୍ରେଣୀର ଛାତ୍ର ଅଟନ୍ତି। ଛାତ୍ର ଜଣଙ୍କୁ ସ୍ଥାନୀୟ ଅଞ୍ଚଳରେ କେନାଲ କାମ କରୁଥିବା ଏକ କମ୍ପାନୀର କର୍ମଚାରୀ ବଳି ଦେଇଥିବା ସନ୍ଦେହ କରାଯାଇଛି। ଖୁଡ଼ୀ ସୋସୋ ଥାନାରେ ଏନେଇ ଗୁରୁବାର ରାତିରେ ଅଭିଯୋଗ କରିଛନ୍ତି। ପୋଲିସ କେସ ନଂ ୨୯/୨୨ରେ ଏକ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁସାରେ ଛାତ୍ର ଜଣକ ଗତ ବୁଧବାର ଅପରାହ୍ନରୁ ନିଖୋଜ ଥିଲେ। ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରାଯାଇଥିଲା। କିନ୍ତୁ ପତ୍ତା ମିଳି ନ ଥିଲା। ଛାତ୍ର ଜଣଙ୍କୁ ଏକ ବିଦ୍ୟାଳୟ ପରିସରରେ ଦେଖିଥିବା କିଛି ଲୋକ କହିଥିଲେ। ଫଳରେ ସ୍ଥାନୀୟ ଲୋକେ ଗୁରୁବାର ସେହି ବିଦ୍ୟାଳୟକୁ ଯାଇଥିଲେ। ଛାତ୍ର ଜଣକ ପିନ୍ଧିଥିବା ପୋଷାକ ଏକ ବିଦ୍ୟାଳୟ ପରିସରରୁ ମିଳିଥିଲା। ଫଳରେ ଉତ୍ତ୍ୟକ୍ତ ଲୋକ ବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ। କେନାଲ କାମରେ ନିୟୋଜିତ କମ୍ପାନୀ ଗାଡ଼ିକୁ ଟେକା,ପଥର ମାଡ଼ କରିଥିଲେ। ସେହି ବିଦ୍ୟାଳୟଟି ଏବେ ବନ୍ଦ ଥିବା ବେଳେ କମ୍ପାନୀ କର୍ମଚାରୀମାନେ ଉକ୍ତ ବିଦ୍ୟାଳୟରେ ରୁହନ୍ତି। ଆଇଆଇସି ଉପେନ୍ଦ୍ର ଦାସ କହିଛନ୍ତି, ଛାତ୍ର ଜଣଙ୍କ ମା’ ଭଦ୍ରକ ଅଞ୍ଚଳରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରନ୍ତି। ସେ ତା’ର ମା ପାଖକୁ ଆସିଥାଇ ପାରେ। ତେଣୁ ତା’ର ମା’ ଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରୁଛୁ।

Share