୮ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ମାଲକାନଗିରି,୪।୯(ନୃସିଂହ ଚରଣ ମହାନ୍ତି): ୮ ଦଫା ଦାବି ନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଛାତ୍ରୀଛାତ୍ର। ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଏହାର ନେତୃତ୍ୱ ଜିଲା ଛାତ୍ର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲା ଛାତ୍ର କଂଗ୍ରେସ ଉପସଭାପତି ଅଶ୍ୱିନୀ ପଟ୍ଟନାୟକ, ମାଲକାନଗିରି ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ପି. ନବୀନ ରାଓ ନେଇଥିଲେ।

ମାଲକାନଗିରି ଜିଲାରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଠିକ୍‌ ସୁବିଧା ସୁଯୋଗ ପାଇପାରୁନାହାନ୍ତି। ଫଳରେ ଛାତ୍ରୀଛାତ୍ରମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲା ଛାତ୍ର କଂଗ୍ରେସ ଦାବି ପୂରଣ ନିମନ୍ତେ ସୋମବାର ଏକତ୍ରିତ ହୋଇଥିବା ସଭାପତି କହିଛନ୍ତି।

ଦାବିଗୁଡ଼ିକ ହେଲା ତୁରନ୍ତ ଛାତ୍ର ସଂସଦ ନିର୍ବାଚନ, କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, କଲେଜରେ ନିର୍ମାଣ ହୋଇଥିବା ପାଠାଗାର ଉଦ୍‌ଘାଟନ, କଲେଜର ଶ୍ରେଣୀଗୃହ ମରାମତି କରିବା, ଖେଳ ପଡ଼ିଆ ସହ ଗ୍ୟାଲେରି ନିର୍ମାଣ, ବସ୍‌ଷ୍ଟାଣ୍ଡରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ବସ୍‌ ସୁବିଧା, ମାଲକାନଗିରିରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆଦି ଦାବି ନେଇ ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଅବସରରେ ଏକ ଦାବିପତ୍ର ମାଲକାନଗିରି ମହାବିଦ୍ୟାଳୟର ପ୍ରିନ୍ସିପାଲ ଲିଙ୍ଗରାଜ ମିଶ୍ର ଏବଂ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।