Categories: ଜାତୀୟ

ଛାତ୍ରୀଙ୍କୁ ୧୬୮ ଚାପୁଡ଼ା ମାରି ଜେଲ୍‌ ଗଲେ ଶିକ୍ଷକ

ଝାବୁଆ,୧୭।୫: ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ମଧ୍ୟପ୍ରଦେଶର ଝାବୁଆ ଜିଲାର ଥାନ୍ଦଲା ଅଞ୍ଚଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ସହପାଠୀଙ୍କ ଦ୍ୱାରା ମାଡ଼ ମରାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ହୋମୱାର୍କ କରି ନ ଥିବାରୁ ତାଙ୍କ ସହପାଠୀଙ୍କ ହାତରୁ ୧୬୮ ଥର ଚାପୁଡ଼ା ମରାଇଥିଲେ ଶିକ୍ଷକ। ଏହି ଘଟଣା ପ୍ରଘଟ ହେବା ପରେ ପରିବାରଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଶିକ୍ଷକ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ଗତ ସୋମବାର କୋର୍ଟ ଅଭିଯୁକ୍ତ ଶିକ୍ଷକ ମନୋଜ ବର୍ମାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣା ୨୦୧୮ ଜାନୁଆରୀ ୧୧ରେ ଘଟିଥିଲା। ଅସୁସ୍ଥତା କାରଣରୁ ଛାତ୍ରୀ ଜଣଙ୍କ ଜାନୁୟାରୀ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଯାଇ ନ ଥିଲେ। ୧୧ ତାରିଖରେ ସେ ବିନା ହୋମୱାର୍କରେ ସ୍କୁଲ ଯାଇଥିଲେ। ଏନେଇ ଶିକ୍ଷକ ତାଙ୍କୁ ଦଣ୍ଡ ଦେଇଥିଲେ। ୬ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧୪ ଛାତ୍ରୀ ତାଙ୍କୁ ଚାପୁଡ଼ା ମାରିଥିବା ପୀଡ଼ିତା ଛାତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଥିଲା। କମିଟିରେ ସମ୍ପୃକ୍ତ ଶିକ୍ଷକ ମନୋଜ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

Share