ପୁରୁଷୋତ୍ତମପୁର,୨୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷିୟତ୍ରୀ ନାମ ଲେଖାଉ ନ ଥିବା ପ୍ରତିବାଦରେ ଛାତ୍ର ଶିବଶଙ୍କର ପଣ୍ଡାଙ୍କ ସହ ପରିବାର ସ୍କୁଲ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ଛାତ୍ର ଜଣକ ଚଣା, ମୁଢ଼ି, ଚକୋଲେଟ୍, ବିସ୍କୁଟ ବିକି ଅଭିନବ ପ୍ରତିବାଦ କରିଥିଲେ। ଖବର ପ୍ରକାଶ ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏହାକୁ ଶିକ୍ଷା ବିଭାଗ ଅତି ଗୁରୁତର ସହ ନେଇଥିଲେ। ଶନିବାର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବୀର ବେହେରା, ଛାତ୍ରଙ୍କ ସହ ତାଙ୍କ ବାପା କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ସାଙ୍ଗରେ ନେଇ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।