ଗଛ ତଳେ ମୋବାଇଲ ଧରି ପଢୁଛନ୍ତି ବିଦ୍ୟାର୍ଥୀ

ଧରାକୋଟ,୨୨ା୮(ବିଷ୍ଣୁ କେଶରୀ ଆଚର୍ଯ୍ୟ): ଧରାକୋଟ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି। ଗାଁ ଗାଁ ରେ ମୋବାଇଲ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପିଲାମାନେ ଗଛ ତଳେ ବସି ମୋବାଇଲ ଧରି ଅନଲାଇନରେ ପାଠ ପଢ଼ୁଛନ୍ତି ତ ଅନ୍ୟ ପଟରେ ନେଟୱର୍କ ଆସୁନଥିବା ଯୋଗୁ ଲୋକେ ନିଜ ନିଜର ଘର ସାମନାରେ ପଲିଥିନରେ ଭର୍ତ୍ତିକରି ମୋବାଇଲ ଓହଳାଇ ରଖିଛନ୍ତି। ନେଟଓ୍ବକ ନଥିବାରୁ ବିଭିନ୍ନ ସରକାରୀ ଓ ବେସରକାର କାର୍ଯ୍ୟାଳୟରେ ବହୁ ସମସ୍ୟା ହେଉଛି। ସଂପ୍ରତି ୫-ଜି ସେବା ଆରମ୍ଭ ହେବାପରେ ଧରାକୋଟ ଅଞ୍ଚଳରେ ନେଟୱର୍କ ସମସ୍ୟା ଗମ୍ଭୀର ହୋଇପଡିଛି। ଧରାକୋଟର ବାହାରପୁର, ଚାରିଛକ, ଦଶମାଇଲି, ମାଣିକ ପୁର ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାରପୁର ହେଉଛି ପଞ୍ଚାୟତ ସଦରହକୁମା । ଏଠାରେ ଘର ଭିତରେ ଆଦୌ ନେଟଓ୍ବାର୍କ ଆସୁନଥିବାରୁ ଲୋକେ ସାହି ସାହିରେ ନିଜ ନିଜର ଘର ଆଗରେ ପଲିଥିନ ଭିତରେ ମୋବାଇଲକୁ ଓହଳାଇ ରଖିଥିବା ଦେଖିବାକୁ ମିଳିଛି। ସେପଟେ ପୋଖରୀ ହିଡରେ ଥିବା ଗଛ ତଳେ କିମ୍ବା ଘରର ଛାତ ଉପରେ ବସି ପିଲାଏ ପାଠ ପଢୁଛନ୍ତି। ଏପରିକି ଅଞ୍ଚଳରେ ୟୁପିଆଇ କାରବାର ହୋଇପାରୁନାହିଁ । ବାହାରପୁର ସହ ଆଖପାଖ ଅଞ୍ଚଳରେ ବିଦ୍ୟୁତ ଚାଲିଗଲେ ମୋବାଇଲ ନେଟୱର୍କ ଚାଲି ଯାଉଥିବାରୁ ଅଧାରେ କଥା ବନ୍ଦ ହୋଇ ଯାଉଛି। ଫଳରେ ଜରୁରୀ କାଳୀନ କଥା ହେବା ବେଳେ ବହୁ ଅସୁବିଧା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ମୋବାଇଲ କମ୍ପାନୀ ଗୁଡ଼ିକ ନିଜ ନିଜର ଗ୍ରାହକମାନଙ୍କ ଠାରୁ ରିଚାର୍ଜ ଦ୍ୱାରା ଅର୍ଥ ଶୋଷଣ କରି ନେଉଥିବା ବେଳେ ସେହି ଅନୁପାତରେ ସେବା ପ୍ରଦାନ
କରୁନାହାନ୍ତି । ତେବେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସି ଦାବି କରିଛନ୍ତି।

Share