କୋକସରା,୨୬ା୫(ଡି.ଏନ.ଏ) କଳାହାଣ୍ଡି ଜିଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଗତ ୨ ମାସ ଭିତରେ ବ୍ଳକରେ ୩ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି । ଇତିମଧ୍ୟରେ ଗୁରୁବାର ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହାଇଦ୍ରାବାଦରୁ ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗ୍ରାମର ଦୁର୍ଯ୍ୟୋଧନ ବିଶିଙ୍କ ପୁଅ ସୋମନାଥ ବିଶି(୧୪)ଙ୍କ ମୃତଦେହ ଗାଁରେ ପହଞ୍ଚିଛି।
ମିଳିଥିବା ସୂଚନା ମୁତବକ, ଗତ ୬ ମାସ ତଳେ ବାପା ଦୁର୍ଯ୍ୟୋଧନ ସହ ନବମ ଶ୍ରେଣୀରେ ପଢୁଥିବା ପୁଅ ସୋମନାଥ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ମଙ୍ଗଳବାର ସନ୍ଧ୍ୟାରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସୋମନାଥ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସୋମନାଥଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ତାଙ୍କର ମୃତଦେହ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପିପଲଝାପର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ କରୋନା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବାରୁ ଗ୍ରାମାଞ୍ଚଳର ଅନେକ ଛାତ୍ରୀଛାତ୍ର ରାଜ୍ୟ ବାହାରକୁ ପରିବାର ସହ ଦାଦନ ଖଟିବାକୁ ଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଏଥିପ୍ରତି ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ଦୃଷ୍ଟି ଦେବା ସହ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।