ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨୮।୬ (ପରିକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳୀ ଠାରୁ ବାମୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟରେ ବହୁ ବିଳମ୍ବ ହେଉଥିବାରୁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ଗ୍ରାମର ମୁଖ୍ୟ ରାସ୍ତା, ବିଦ୍ୟାଳୟକୁ ଯାଇଥିବା ରାସ୍ତା, ମେଡିକାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଠିକାସଂସ୍ଥା ପକ୍ଷରୁ ଖୋଳି ଦିଆଯାଇଥିବା ଯୋଗୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଫୁଲମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଠିକାସଂସ୍ଥା ପକ୍ଷରୁ ଖୋଳି ଦିଆଯାଇଥିବା ଯୋଗୁ ଛାତ୍ରୀଛାତ୍ରମାନେ ୨ ଫୁଟ ପାଣି ଭିତରେ ପଶି ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଯାଉଥିବା ଜଣାପଡିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ସମ୍ପର୍କରେ ମଙ୍ଗଳବାର ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣର ଠିକା ନେଇଥିବା ଘରୋଇ ସଂସ୍ଥା ୪ ଲେନ୍‌ ରାସ୍ତା ନିର୍ମାଣ କରୁଛି। ଗୋଟିଏ ପାଖରେ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ପାଖରେ ରାସ୍ତା ପାଇଁ ଗତ ଏପ୍ରିଲରୁ ୨ ଫୁଟ ଗଭୀରର ଖୋଳି ଦିଆଯାଇଛି। ଲଘୁଚାପ ବର୍ଷାରେ ଉକ୍ତ ଖୋଳି ଦିଆଯାଇଥିବା ସ୍ଥାନରେ ପାଣି ଜମି ରହିଛି। ଫଳରେ ବିଦ୍ୟାଳୟକୁ ଅନ୍ୟ କୌଣସି ବାଟ ନ ଥିବାରୁ ଛାତ୍ରୀଛାତ୍ରମାନେ ଜମିରହିଥିବା ପାଣି ଭିତରେ ପଶି ଯାତାୟାତ କରୁଛନ୍ତି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଠିକାସଂସ୍ଥାକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ରାସ୍ତା କାମ ଶୀଘ୍ର ହେବ ବୋଲି କହିବା ସହ ଠିକାସଂସ୍ଥା କାହା କଥା ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କଡା ଚେତାବନୀ ଦେଇଛନ୍ତି l ଏ ନେଇ ଠିକାସଂସ୍ଥା ପରିଚାଳକ ମନୋଜ ଗୋଚ୍ଛାୟତଙ୍କୁ ପଚରାଯିବାରୁ ରାସ୍ତା କରାଯିବ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।