ଭଞ୍ଜନଗର,୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଟି ସ୍କୁଲର ଜଣେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ସୋମବାର ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ହେଲେ ସୋରଡ଼ା ଥାନା ଅନ୍ତର୍ଗତ କେଶରା ଗ୍ରାମର ଜ୍ୟୋତିରାଣୀ ସେଠୀ। ଜ୍ୟୋତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ଭଞ୍ଜନଗର ଏସ୍ଡିପିଓ ସୁଜିତ୍ କୁମାର ନାୟକ, ଥାନା ଅଧିକାରୀ କୁମାର ମୁଦୁଲି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ପ୍ରକାଶ ଯେ, ଭଞ୍ଜନଗର ସିଟି ସ୍କୁଲ ଛାତ୍ରୀ ଜ୍ୟୋତି ନିକଟସ୍ଥ ମାଲସାହିରେ ତାଙ୍କର ଆଉ ୩ ସାଙ୍ଗଙ୍କ ସହ ମିଶି ଏକ ଭଡ଼ାଘରେ ରହୁଥିଲେ। ସୋମବାର ପୂର୍ବାହ୍ନ ୧୦ଟାରେ ସାଙ୍ଗମାନେ ମିଶି ସ୍କୁଲ ଯିବାପାଇଁ ଜ୍ୟୋତିରାଣୀଙ୍କୁ ଡାକିଥିଲେ। କିନ୍ତୁ ସେ ପରେ ଯିବି କହି ଯାଇ ନ ଥିଲେ। କିଛି ସମୟ ପରେ ସେହି ନିକଟରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ କୌଣସି ଜିନିଷ ନେବାକୁ ଜ୍ୟୋତିଙ୍କ ରୁମ୍କୁ ଆସିଥିଲେ। ସେ ସମୟରେ ଜ୍ୟୋତି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଘର ମାଲିକ ଏହି ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏ ନେଇ ନଂ.୬/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।