ସ୍କୁଲ ନ ଯିବା ପାଇଁ ଆଶ୍ଚର୍ଯ୍ୟଜନକ ବାହାନା କଲେ ଛାତ୍ର

ଜୁରିକ୍‌, ୮।୪ : ସ୍କୁଲରେ ବଙ୍କ୍‌ ମାରିବା ପାଇଁ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ମେସେଜ କରିଥିଲେ ୩ ଛାତ୍ର। ଫଳରେ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ରହିବାକୁ ପଡ଼ିଥିଲା କ୍ୱାରେଣ୍ଟିନରେ। ସୁଇଜରଲାଣ୍ଡର ବାସେଲର କିର୍ସଗାର୍ଟେନ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା।

ଏହି ସ୍କୁଲର ୩ ଜଣ ଛାତ୍ର ମିଛରେ କରୋନାରେ ଆକ୍ରାନ୍ତ ଥିବା କୋଭିଡ୍‌-୧୯ କଣ୍ଟାକ୍ଟ ଟ୍ରେସିଂ ଆପରୁ ମେସେଜ ଜରିଆରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏଥି ଯୋଗୁ ଶ୍ରେଣୀର ୨୫ ଜଣ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଘରେ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯାଇଥିଲା। ଏହି ଘଟଣାରେ ପ୍ରଭାବିତ ହୋଇଥିଲେ କିଛି ଶିକ୍ଷୟତ୍ରୀ ଓ ଶିକ୍ଷକ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଛାତ୍ରମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଛୋଟଛୁଆଙ୍କ ମଜାକ ନୁହେଁ। ଏହା ଏକ ଗମ୍ଭୀର ଘଟଣା ବୋଲି ବାସେଲ ଶିକ୍ଷା ବିଭାଗର ପ୍ରବକ୍ତା ସାଇମୋନ ଥରିଟ କହିଛନ୍ତି।

ମିଛ ସ୍ବାସ୍ଥ୍ୟ ପ୍ରମାଣପତ୍ର ଦେବା ପାଇଁ ଉକ୍ତ ୩ ଛାତ୍ରଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ତେବେ ସେମାନଙ୍କୁ ଏକ୍ସପେଲ କରାଯିବ ନାହିଁ ବୋଲି କୁହାଯାଇଛି।

Share