କ୍ଲାସରେ ଏକାଠି ବସି ପାରିବେନି ଛାତ୍ରୀଛାତ୍ର

କାବୁଲ,୨୧।୮: ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କ୍ଲାସରେ ଛାତ୍ରୀଛାତ୍ର ଆଉ ଏକାଠି ବସି ପଢ଼ିପାରିବେ ନାହିଁ। ତାଲିବାନ୍‌ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଘରୋଇ ଶିକ୍ଷାନୁଷ୍ଠାନ ମାଲିକ ଏବଂ ତାଲିବାନ୍‌ ଅଧିକାରୀଙ୍କ ମଧ୍ୟରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସହଶିକ୍ଷା ବ୍ୟବସ୍ଥା ବନ୍ଦ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ ଦଖଲ ପରେ ତାଲିବାନ ପକ୍ଷରୁ ଏହା ପ୍ରଥମ ଫତ୍‌ଓ୍ବା।

ଆଫଗାନିସ୍ତାନରେ ଉଭୟ ସହଶିକ୍ଷା ଏବଂ ଅଲଗା ଶିକ୍ଷାଦାନ ବ୍ୟବସ୍ଥା ରହିଛି। ହେରାତ୍‌ ପ୍ରଦେଶରେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଅ ଏବଂ ଝିଅଙ୍କ ପାଇଁ ଅଲଗା ଶିକ୍ଷା ବ୍ୟବସ୍ଥା କରାଯାଇପାରିବ। ତେବେ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସଂଖ୍ୟା ବହୁତ କମ୍‌ ଥିବାରୁ ସେମାନଙ୍କ ପାଇଁ ଅଲଗା ଶିକ୍ଷାଦାନ ବ୍ୟବସ୍ଥା କରିବା ସମ୍ଭବ ନୁହେଁ ବୋଲି ଅଧ୍ୟାପକମାନେ କହିଥିଲେ। ତେବେ ସମାଜରେ ଘଟୁଥିବା ସମସ୍ତ ଖରାପ କାର୍ଯ୍ୟର ମୂଳ ସହଶିକ୍ଷା ହୋଇଥିବାରୁ ଏହାକୁ ବନ୍ଦ କରାଯିବା ଜରୁରୀ ବୋଲି ଆଫଗାନିସ୍ତାନ ଇସ୍‌ଲାମିକ ଏମିରେଟ୍‌ର ଉଚ୍ଚଶିକ୍ଷା ମୁଖ୍ୟ ମୁଲ୍ଲା ଫରିଦ କହିଥିଲେ।

Share