ଛାତ୍ର ବୋହିଲେ ଜାଳେଣି କାଠ

ରୂପସା,୨୭।୨(ଡି.ଏନ.ଏ.):ବିଦ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ। ଶିକ୍ଷକ ଭୁଲିଗଲେ ସରକାରଙ୍କ କଟକଣା। ରୋଷେଇ ପାଇଁ ଛାତ୍ରମାନେ ବିଦ୍ୟାଳୟକୁ ବୋହୁଛନ୍ତି ଜାଳେଣି କାଠ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଡିମିଚା ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ବିଦ୍ୟାଳୟରେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ଅଛନ୍ତି। ଏଠାରେ ହଷ୍ଟେଲ ଖୋଲାଯାଇ ରାତିରେ ଛାତ୍ରୀଛାତ୍ର ରହି ପାଠ ପଢ଼ିବାର ବ୍ୟବସ୍ଥା ହୋଇଛି। ସରକାରୀ ନିୟମକୁ ଉଲଂଘନ କରି ଦାୟିତ୍ୱରେ ଥିବା ରୋଷେୟା ଏହି ବିଦ୍ୟାଳୟରେ ଦିନ ରାତି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ପରିସର ଅପରିଷ୍କାର ଓ ଅଳିଆ ଆବର୍ଜନମୟ ହୋଇ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ରବିବାର ଛୁଟିଦିନ ସତ୍ତ୍ୱେ ହଷ୍ଟେଲରେ ଥିବା ଛାତ୍ରମାନଙ୍କୁ ଜାଳେଣି କାଠ ବୋହିବାରେ ନିୟୋଜିତ କରାଯାଇଥିବା ଦେଖି ଅବିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତଦନ୍ତ ପୂର୍ବକ ଶିକ୍ଷକ ଓ ରୋଷେୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଗଡ଼ପଦା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅନିଲ କୁମାର ପାତ୍ରଙ୍କୁ ପଚରାଯିବାରୁ ସେ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।