Advertisement

ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮ ଶ୍ରେଣୀ ଛାତ୍ରୀଙ୍କର ଶୁକ୍ରବାର ରାତିରେ ହଷ୍ଟେଲରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରସ୍ଥିତି ସୃଷ୍ଟି ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ନିଶା ବେନିଆ(୧୪) ତାଙ୍କ ଘର ଦଶମନ୍ତପୁର ବ୍ଲକର କିଟେସ ଗ୍ରାମ ନିକଟ ଚନାବାର ବୋଲି ସୁନାବେଡ଼ା ପୋଲିସ ପକ୍ଷରୁ ଜଣାପଡ଼ିଛି। ତାଙ୍କ ବାପା ପଟାଲ ବେନିଆ ଓ ମାଆ କବିତା ବେନିଆ ବୋଲି ଜଣାପଡ଼ିଛି।

ଶୁକ୍ରବାର ରାତି ୧୦ଟାରେ ସେ ହଷ୍ଟେଲରେ ଭୋଜନ କରିବା ପରେ ଶୋଇ ଥିଲେ। କିନ୍ତୁ ଶନିବାର ଭୋର୍‌ରେ ହଷ୍ଟେଲରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା। ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ର ଏହି ଘଟଣା ସମ୍ପର୍କରେ ସୂଚନା ପାଇ ତାଙ୍କୁ ସଙ୍ଗେ ସଙ୍ଗେ ସୁନାବେଡ଼ାସ୍ଥିତ ସହରାଞ୍ଚଳ ମେଡିକାଲକୁ ପଠାଇଥିବାବେଳେ ଏହି ସମ୍ପର୍କରେ ମୃତକ ପରିବାରକୁ ଖବର ଦେଇଥିଲେ। ଘଟଣା ପ୍ରଚାରିତ ପରେ ମୃତକ ପରିବାର ସଦସ୍ୟ ଓ ସମ୍ପର୍କୀୟ ମେଡିକାଲରେ ପହଞ୍ଚିଥିଲେ। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତଦେହ ବ୍ୟବଚ୍ଛେଦ ପାଇଁ ସୁନାବେଡ଼ା ମେଡିକାଲରେ ରହିଛି। ତେବେ ନିଶାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରି ପରିବାର ସଦସ୍ୟ ସୁନାବେଡ଼ା ଥାନାରେ ଏକ ଏତଲା ଦେଇଛନ୍ତି। ଘଟଣାରେ ନିଶାଙ୍କ ଦେହରେ ଲାଗିଥିବା କିଛି ରକ୍ତଛିଟାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏପରିକି କେଉଁ ପରିସ୍ଥିତିରେ ନିଶାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ କରିବାକୁ ଏତଲାରେ ଦର୍ଶାଇଛନ୍ତି। ଏହି ଘଟଣାରେ ସୁନାବେଡ଼ା ମେଡିକାଲ ନିକଟରେ କିଛି ଘଣ୍ଟା ପାଇଁ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ପୋଲିସ ଏସ୍‌ଡିପିଓ, ଥାନାଧିକାରୀ ସୁନାବେଡ଼ା, ଦାମନଯୋଡ଼ି, ସେମିଳିଗୁଡା ଥାନାଧିକାରୀଙ୍କ ସହ ସେମିଳିଗୁଡ଼ା ତହସିଲଦାର ଦେବବ୍ରତ କରାଟି ପ୍ରମୁଖ ଉପସ୍ଥିତ ରହିଥିବା ସହ ଶାନ୍ତିଶୃଙ୍ଖଳା ନେଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share