ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ: ମହାବିଦ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ସାରସକଣା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହୋଇ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ମିଳିଥିବା ସୂଚନା ମୁତାବକ ଯୁକ୍ତ ୩ ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଫଳରେ ମହାବିଦ୍ୟାଳୟ ୭୫% ଛାତ୍ରୀ ଓ ଛାତ୍ର ଇଂରାଜୀ ବିଷୟରେ ଫେଲ୍‌ ହୋଇଛନ୍ତି। ଛାତ୍ରୀ ସାଲୁ ମହାନ୍ତ ଓ ଛାତ୍ର ସ୍ବାଧୀନ ମହାନ୍ତଙ୍କ କହିବା ଅନୁଯାୟୀ, ଉକ୍ତ ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା। ଏନେଇ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ପଚାରିବାରୁ ସେ ଏକ ଦରଖାସ୍ତ ଲେଖିବାକୁ କହି ହସ୍ତକ୍ଷତ ନେଇଥିଲେ ଏବଂ ଗ୍ରେସ୍‌ ନମ୍ବର ଦିଆଯିବ ବୋଲି କହିଥିଲେ। ମାତ୍ର ପରୀକ୍ଷା ଫଳ ପ୍ରକାଶ ହେବା ପରେ କୌଣସି ଗ୍ରେସ୍‌ ନମ୍ବର ଦିଆଯାଇ ନ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଅନେକ ଛାତ୍ରୀଛାତ୍ର ମହାବିଦ୍ୟାଳୟ ଗେଟ୍‌ ବନ୍ଦ କରି ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସମସ୍ତ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ନମ୍ବର ଦେଇ ପାସ୍‌ କରାଇବାକୁ ଛାତ୍ରୀ ଓ ଛାତ୍ରମାନେ କୁଳପତିଙ୍କୁ ଦାବି କରିଛନ୍ତି। ଏ ବାବଦରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି, ଜିଲାପାଳ, ଉପଜିଲାପାଳଙ୍କ ନିମନ୍ତେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଜରିଆରେ ଏକ ଦାବିପତ୍ର ଜଣାଇବା ସମେତ ଥାନାଧିକାରୀଙ୍କୁ ଲିଖିତ ଦାବିପତ୍ର ଜଣାଇଛନ୍ତି।

Share