କଣ୍ଟିପାଳ,୨୮।୯(ସୁଶାନ୍ତ କୁମାର ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଅଧୀନ କଣ୍ଟିପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ବୁଧବାର ମଧ୍ୟାହ୍ନ ଭୋଜନରେ ବିସ୍କୁଟ୍ ଖାଇଥିଲେ। ମଙ୍ଗଳବାର ମଧ୍ୟ ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହୋଇଛି। ଦରମା ବୃଦ୍ଧି ଦାବିରେ ପାଚିକା ଛୁଟିରେ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ଜଣାପଡ଼ିଛି।
ପ୍ରକାଶ ଯେ, ସ୍କୁଲରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ପ୍ରଥମରୁ ଅଷ୍ଟମ ପାର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଉଛି। ପାଚିକାମାନଙ୍କର ୩ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ମଙ୍ଗଳବାର ଓ ବୁଧବାର ମଧ୍ୟାହ୍ନଭୋଜନ ରୋଷେଇ ହୋଇନାହିଁ। ବୁଧବାର ପିଲାଙ୍କୁ ବିସ୍କୁଟ୍ ଦିଆଯାଇଥିଲା। ଗୁରୁବାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଆନନ୍ଦପୁରର ବିଭିନ୍ନ ସ୍କୁଲରେ ପାଚିକାଙ୍କ ଆନ୍ଦୋଳନ ସତ୍ତ୍ୱେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏଠାରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସୁର କହିଛନ୍ତି, ମଧ୍ୟାହ୍ନଭୋଜନ ଦାୟିତ୍ୱ ଏସ୍ଏଚ୍ଜି ଗ୍ରୁପ୍ ହାତରେ ରହିଛି। ସେମାନେ ବ୍ୟବସ୍ଥା କରିବା କଥା।