ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ ସକାଶେ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭାରପ୍ରାପ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ , ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ରସାନନ୍ଦ ଘଡେଇ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ୩୯୦ ଛାତ୍ରୀଛାତ୍ର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଫେରିଥିଲେ। ୧୬ ଜଣ ସିଆରସିସି, ୪୪ ଜଣ ଗାଇଡ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ୯ ଟି ସ୍ବତନ୍ତ୍ର ବସ୍ ଯୋଗେ ବ୍ରହ୍ମପୁର ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର , ଗୋପାଳପୁରର ଭାରତୀୟ ଜୀବ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା , ଭାରତୀୟ ପାଣିପାଗ ଗବେଷଣା ସଂସ୍ଥା ଏବଂ ଗୋପାଳପୁର ସମୁଦ୍ର ପରିଭ୍ରମଣ କରାଯାଇଥିଲା । ଏହି ପରିଭ୍ରମଣ ସମୟରେ ଗୋପାଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ । ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ବୃନ୍ଦ ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।