ସଫେଇ କାର୍ଯ୍ୟରେ ଛାତ୍ର ନିୟୋଜିତ, ଭିଡିଓ ଭାଇରାଲ

ଯୋଡ଼ା,୯ା୧୧(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟାଁ ରୋଇଡ଼ା ପଞ୍ଚାୟତ ଅନ୍ତର୍ଗତ କୋଲରୋଇଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରମାନଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ଚତଃପାର୍ଶ୍ୱରେଥିବା ଅଳିଆ ଆବର୍ଜନାକୁ ଡଷ୍ଟବିନ୍‌ରେ ନେଇ ୨ ଛାତ୍ର ଅନ୍ୟତ୍ର ପକାଉଥିବା ଭିଡିଓରେ ଦେଖାଯାଉଛି। ବିଦ୍ୟାଳୟର ଅର୍ଥ ବଞ୍ଚାଇବାକୁ ଯାଇ ଛାତ୍ରମାନଙ୍କୁ ଏହି କାର୍ଯ୍ୟରେ କର୍ତ୍ତୃପକ୍ଷ ନିୟୋଜିତ କରାଉଛନ୍ତି। ଅଳିଆ ଆବର୍ଜ୍ଜନା ବୁହା ଡଷ୍ଟବିନ ତାଙ୍କଠାରୁ ଉଚ୍ଚତା ଥିବାରୁ ଅଘଟଣକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ଛାତ୍ରମାନଙ୍କୁ ପାଠ ପଢ଼ିବା ଦିଗ୍‌ରେ ଓ ବିଭିନ୍ନ ଖେଳ କୁଦ କରି ଉତ୍ସାହିତ କରିବା ପରିବର୍ତ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି କାର୍ଯ୍ୟ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜଜନକ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ବିଏଲଓ(ବୁଥ୍‌ ଲେବୁଲ ଅଫିସର) ଦାୟିତ୍ୱରେ ଥିବା ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ରାଉତ କହିଛନ୍ତି, ଭାଇରାଲ ଭିଡିଓ ଦୃଷ୍ଟି କୋଚର ହୋଇଛି। ଏ ନେଇ ଅଧିକ ଯାଞ୍ଚ କରାଯାଉଛି।

Share