ଜିଲା ଦାବି ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଘୁମୁସର ଜିଲା ଦାବି ଆନ୍ଦୋଳନ ୧୯୯୩ରୁ ଆରମ୍ଭ ହୋଇଛି। ଏହା ବର୍ତ୍ତମାନ ସୁଧା ଚାଲିଛି। କିନ୍ତୁ ସରକାର ଦାବି ପ୍ରତି ଗୁରୁତ୍ୱ ଦେଉ ନ ଥିବାବେଳେ ସୋମବାର ଘୁମୁସର ବାହିନୀ ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ କଳିଙ୍ଗପଦର ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ଘୁମୁସର ଜିଲା ଦାବି ଉପରେ ଆନ୍ଦୋଳନ ହୋଇଥିଲା।

ଛାତ୍ରୀଛାତ୍ରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨୬୦ ଖୋଲା ଚିଠି ଲେଖିଥିଲେ। ଘୁମୁସର ବାହିନୀର ଜଗନ୍ନାଥପ୍ରସାଦ ବ୍ଲକ କର୍ମକର୍ତ୍ତା କେଶବ ବାରିକ ଏବଂ ଭଞ୍ଜନଗରର ଅରକ୍ଷିତ ପରିଛାଙ୍କନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା।

ଘୁମୁସର ଜିଲା ଦାବି କ୍ରିୟାନୁଷ୍ଠାନ କମିଟି ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମିଳିତ ଭାବେ ସୋମବାର ଘୁମୁସର ଜିଲା ଦାବି ଆନ୍ଦୋଳନ ଇତିହାସ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। ଏହାକୁ ଉପଜିଲାପାଳ ଜ୍ୟୋତି ରଞ୍ଜନ ରାୟ ଉନ୍ମୋଚିତ କରିଥିଲେ। ପୁସ୍ତକରେ ୧୯୯୩ରୁ ୨୦୧୦ ପର୍ଯ୍ୟନ୍ତ ଘୁମୁସର ଜିଲା ଘୋଷଣା ପାଇଁ ଆନ୍ଦୋଳନ ଉପରେ ପୁସ୍ତକରେ ଲେଖାଯାଇଛି। ପୁସ୍ତକ ଉନ୍ମୋଚନ ସମୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୁସ୍ତକର ସଂକଳକ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଏବଂ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ।