ମହୁଲଗଛରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଛେଣ୍ଡିପଦା,୨୨।୪(ସ୍ବ.ପ୍ର.)

ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସାପୋଇସାହିସ୍ଥିତ କଢିବୁରୀ ନିକଟ ଏକ ମହୁଲ ଗଛରୁ ଗୁରୁବାର ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ଛାତ୍ର ବିବେକାନନ୍ଦ ସାହୁ। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ଏ ନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ପଞ୍ଚନାମା ବେଳେ ମୃତକଙ୍କ ପକେଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ତାହାକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ଛେଣ୍ଡିପଦା ଥାନା ବରପଦା ଗ୍ରାମର ଡିଲେଶ୍ବର ସାହୁଙ୍କ ପୁଅ ବିବେକାନନ୍ଦ ବାପୁଜୀ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର। ସେ ମହାବିଦ୍ୟାଳୟ ନିକଟସ୍ଥ ଏକ ଘରୋଇ ହଷ୍ଟେଲରେ ରହି ପଢୁଥିଲେ। ସକାଳେ ଉକ୍ତ ହଷ୍ଟେଲ ପଛପାଖରୁ ୨୦୦ ମିଟର ଦୂର କଡିବୁରୀର ଏକ ମହୁଲ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା କେତେଜଣ ମହୁଲ ଗୋଟାଳି ଦେଖି ହଷ୍ଟେଲ ମାଲିକଙ୍କୁ ଖବର ଦେଇଥିଲେ। ହଷ୍ଟେଲ ମାଲିକ ପରିବାର ଲୋକଙ୍କୁ ଓ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅର ଝୁଲନ୍ତା ମୃତଦେହ ଦେଖିବା ପରେ କେହି ମାରି ଝୁଲାଇ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିବା ସହ ସାଇଣ୍ଟିଫିକ ଟିମ୍‌ ଜରିଆରେ ତଦନ୍ତ କରିବାକୁ ଦାବି କରିଥିଲେ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ଘଟଣାସ୍ଥଳରେ ତଦନ୍ତ କରିଥିଲା। ଏଥିସହ ବିବେକାନନ୍ଦଙ୍କ ପକେଟରୁ ଏକ ସୁଇସାଇଡାଲ ନୋଟ ପୋଲିସ ଜବତ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ଥାନା ଅଧିକାରୀ ଧିରେନ କୁମାର ବେହେରା ପ୍ରକାଶ କରିଛନ୍ତି।

Share