ପ୍ରବଳ ଗରମରେ ଛାତ୍ର, ୨ ଶିକ୍ଷକ ଅସୁସ୍ଥ

ଖୋର୍ଦ୍ଧା,୨୨ା୬(ପ୍ରଭାତ ପାଣିଗ୍ରାହୀ)ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବାବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲଗୁଡ଼ିକ ପାଇଁ ଖରା ଛୁଟି ଘୋଷଣା କରିଥିଲେ। ତେବେ ତାତିର ପ୍ରଭାବ କମି ନ ଥିବା ସତ୍ତ୍ୱେ ବୁଧବାରଠାରୁ ସ୍କୁଲ ଖୋଲିଛି। ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଗରମ ଓ ଗୁଳୁଗୁଳି ଯୋଗୁ ଖୋର୍ଦ୍ଧା ଜିଲାର ଦୁଇଟି ବିଦ୍ୟାଳୟରେ ୨ଜଣ ଶିକ୍ଷକ ଏବଂ ଜଣେ ଛାତ୍ର ଅଚେତ ହୋଇପଡ଼ିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବୁଧବାର ସକାଳେ ଧାର୍ଯ୍ୟ ସମୟରେ କାଇପଦର ମାଳିିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଆସିଥିଲେ। ଶ୍ରେଣୀରେ ପାଠପଢା ଚାଲିଥିଲା। ଏହି ସମୟରେ ହଠାତ୍‌ ୬ଷ୍ଠ ଶ୍ରେଣୀର ଛାତ୍ର ସାଇରାମ ମହାପାତ୍ର ଅଚେତ ହୋଇପଡ଼ିଥିଲେ। ତାଙ୍କୁ ପାଣି ଛାଟି ସାମାନ୍ୟ ସୁସ୍ଥ କରାଯାଇଥିଲା। ପ୍ରଧାନଶିକ୍ଷକ ତ୍ରିଲୋଚନ ବେହେରା ତୁରନ୍ତ ତାଙ୍କ ଅଭିଭାବକଙ୍କୁ ଏ ସଂକ୍ରାନ୍ତରେ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ସାଇରାମଙ୍କୁ ନେଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସୁସ୍ଥ ହୋଇ ସାଇରାମ ଘରକୁ ଫେରିଥିବା ଜଣାପଡ଼ିଛି। ସେହିପରି କାଇପଦର ବିଦ୍ୟାଳୟର ସହକାରୀ ଶିକ୍ଷକ ସାହୁ ଶ୍ରେଣୀରେ ପାଠ ପଢାଉଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଅନ୍ୟ ଶିକ୍ଷକମାନେ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକରେ ଚିକିତ୍ସା କରାଇଥିଲେ। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଟୁନି ଦେଈ ଅଫିସ କାମ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିବା ସହ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଖୋର୍ଦ୍ଧା ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଭଳି ଘଟଣା ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରୀଷ୍ମପ୍ରଭାବ ଜାରି ରହିଥିବାବେଳେ ରାଜ୍ୟ ସରକାର ତରବରିଆ ଭାବେ ସ୍କୁଲ ଖୋଲିଦେଲେ। ଫଳରେ ଏଭଳି ଅଂଶୁଘାତଜନିତ ଅଘଟଣ ଘଟୁଛି ବୋଲି ଅଭିଭାବକମାନେ କହିଛନ୍ତି। ଆଗକୁ ମଧ୍ୟ ଅଂଶୁଘାତଜନିତ ଘଟଣା ବଢିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Share