ସ୍କୁଲ ପୂଜା ପାଇଁ ଛାତ୍ର ଗଢ଼ିଲେ ୪ ଫୁଟର ଗଣେଶ ମୂର୍ତ୍ତି

ଡାବୁଗାଁ, ୧୮।୯ (ପ୍ରଜ୍ଞାରଞ୍ଜନ ପରିଡ଼ା):  ଗଣେଶ ପୂଜା। ପାଇଁ ସ୍କୁଲମାନଙ୍କରେ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି କେଉଁଠୁ କିଣାଯିବ, ସାଜସଜ୍ଜା କିପରି ହେବ ତାହାକୁ ନେଇ ସମସ୍ତେ ବ୍ୟସ୍ତ। ସାଧାରଣତଃ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବାବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡ଼ଓଲମା ଆଶ୍ରମ ବିଦ୍ୟାଳୟ (ପୁରୁଣା)ରେ ୨ ଛାତ୍ର ନିଜେ ତିଆରି କରୁଛନ୍ତି ୪ ଫୁଟର ଆକର୍ଷଣୀୟ ଗଣେଶ ମୂର୍ତ୍ତି। ମଙ୍ଗଳବାର ସ୍କୁଲରେ ଏହି ଗଣେଶଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯିବ।
ବଡ଼ଓଲମା ଆଶ୍ରମ ବିଦ୍ୟାଳୟର ୧୦ମ ଶ୍ରେଣୀର ଶଙ୍କର ଜାନୀ ଓ ଲକ୍ଷ୍ମୁ ଭତ୍ରା ଚଳିତବର୍ଷ ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ। ଏ ସମ୍ପର୍କରେ ସେମାନେ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡାଙ୍କୁ କହିଥିଲେ। ପିଲାମାନଙ୍କ ଆଗ୍ରହ ଦେଖି ପ୍ରଧାନଶିକ୍ଷକ ଅନୁମତି ଦେଇଥିଲେ। ସେମାନେ ମୂର୍ତ୍ତି ପାଇଁ କାଠ, ମାଟି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ। ୧୫ ଦିନ ପୂର୍ବରୁ ମୂର୍ତ୍ତି ତିଆରି ସାରିବା ପରେ ପ୍ରଧାନ ଶିକ୍ଷକଙ୍କୁ ରଙ୍ଗ ପାଇଁ କହିଥିଲେ। ୩ ଦିନ ତଳେ ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରଙ୍ଗ ଓ ତୂଳୀ ଯୋଗାଇ ଦେଇଥିଲେ। ଶଙ୍କର ଓ ଲକ୍ଷ୍ମୁଙ୍କୁ ଅନ୍ୟ ଶ୍ରେଣୀର ଛାତ୍ର ବୁଲୁ ମାଝି, ବସନ୍ତ ହରିଜନ, କମଳଦାସ ଭତ୍ରା ସହଯୋଗ କରିଥିଲେ। ଶିକ୍ଷକ ଭୋଜରାଜ ମାଝି ଓ ଜଗଦୀଶ ସାହୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ। ଭବିଷ୍ୟତରେ ଭଲ ଶିଳ୍ପୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଉଭୟ ଶଙ୍କର ଓ ଲକ୍ଷ୍ମୁ କହିଛନ୍ତି। ମୂର୍ତ୍ତି ତିଆରି କରିବା ପାଇଁ ପିଲାମାନଙ୍କ ମନରେ ଇଚ୍ଛା ଓ ଭକ୍ତି ଥିଲା। ମୂର୍ତ୍ତି ତିଆରି କରିବା ଦିନଠାରୁ ସେମାନେ ଆମିଷ ଛାଡି ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି। ଏହି ମୂର୍ତ୍ତି ତିଆରି ଯୋଗୁ ସେମାନଙ୍କ ପାଠପଢ଼ାରେ କୌଣସି ବ୍ୟାଘାତ ହେଉନାହିଁ। ସ୍କୁଲ ଛୁଟିପରେ ଅପରାହ୍ନରେ ସେମାନେ ନ ଖେଳି ମୂର୍ତ୍ତି ତିଆରି କାମ କରୁଥିଲେ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି।