ଭୁବନେଶ୍ୱର,୨୭।୧(ବ୍ୟୁରୋ): ଗର୍ଜିଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ର। ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଗୁରୁବାର ରାଜରାସ୍ତାକୁ ସେମାନେ ଓହ୍ଲାଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାପରେ ଶତାଧିକ ଛାତ୍ରୀଛାତ୍ର ନବୀନ ନିବାସ ମୁହାଁ ହେବା ବେଳେ ମାଷ୍ଟର କ୍ୟାଣ୍ଟିନଠାରେ ପୋଲିସ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।
କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିଲେ। ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ର। କୋଭିଡ ଆରମ୍ଭ ସମୟରେ କଲେଜରେ ପାଦ ଥାପିଥିବା ଏହି ପିଲାଙ୍କର କରୋନା ଯୋଗୁ ପାଠପଢ଼ା ଖୁବ ବାଧାପ୍ରାପ୍ତ ହୋଇଛି। ଏପରିକି ମାସ ମାସ ଧରି ଏହି ପିଲା ଅନଲାଇନ୍ କ୍ଲାସ କରିଛନ୍ତି । କୋଭିଡ କମିବା ପରେ ଗତ ବର୍ଷ ୫/୬ ମାସ ପାଇଁ କଲେଜ ଖୋଲିଥିଲା। ସେଥିରୁ ୩ ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହୋଇଥିଲା। ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିବା ବେଳେ ସେଥିରେ କ’ଣ ବର୍ଷକର ପାଠ ସରିଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯଦି ସରିଗଲା, ତେବେ ଗୋଟିଏ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ କାହିଁକି ୬ ମାସ ଲାଗୁଛି ବୋଲି ସେମାନେ ପ୍ରଶ୍ନ ବି ପଚାରିଛନ୍ତି। କୋଭିଡ କଟକଣାରେ ଯଦି ମଲ, ବାର୍ ଆଦି ଖୋଲିପାରୁଛି ତେବେ କଲେଜ ଖୋଲିଲେ ଅସୁବିଧା କ’ଣ । ଏ ଯାଏ କୋର୍ସ ଶେଷ ହୋଇନି। ତେଣୁ ପରୀକ୍ଷା କିପରି ହେବ ସେନେଇ ଛାତ୍ରୀଛାତ୍ରମାନେ ଚିନ୍ତା ପ୍ରକଟ କରିଛନ୍ତି।