ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ସଜନାଗଡ଼, ୩୦।୬(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇପାରିନାହିଁ। ବୋର୍ଡ଼ ତରଫରୁ ଛାତ୍ରୀଛାତ୍ରଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି। ମାତ୍ର ମାଟ୍ରିକ୍‌ ପରୀକ୍ଷା ପ୍ରକାଶିତ ଫଳାଫଳକୁ ନେଇ ଶିଶୁମନ୍ଦିର ଛାତ୍ରୀଛାତ୍ରମାନେ ମାନସିକ ଅବସାଦରେ ରହୁଥିବା ଅଭିଭାବକମାନେ କହିଛନ୍ତି। ଫଳାଫଳରେ ତ୍ରୁଟି ଥିବା ନେଇ ବାଲେଶ୍ୱର ଜିଲା ନୀଳଗିରି ଶିଶୁ ମନ୍ଦିର ପରିସରରେ ମଙ୍ଗଳବାର ଛାତ୍ରୀଛାତ୍ର ଓ କେତେଜଣ ଅଭିଭାବକ ଏକଜୁଟ୍‌ ହୋଇ କୋଭିଡ୍‌ ନିୟମ ଅନୁସାରେ ଅଭିଯୋଗ କରିବା ସହ ମାର୍କ ବୃଦ୍ଧି କରିବା ପାଇଁ ଧାରଣା ଦେଇଥିଲେ। ଏହାସହ ସରସ୍ବତୀ ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମାଟ୍ରିକ ପରୀକ୍ଷା ଫଳାଫଳକୁ ଜାଣିଶୁଣି ଏପରି କରାଯାଇଥିବା କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ଚୂଡ଼ାନ୍ତ ମୂଲ୍ୟାୟନ କରାଯାଇ ସେମାନଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ବାଲେଶ୍ୱର ଜିଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା।