ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେବେଳେ ଜିଲାରେ ନକଲୀ ଶିକ୍ଷକକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ଆଉକେବେ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଅଭାବ ନେଇ ଅସନ୍ତୋଷ ଦେଖାଯାଇଛି। ଏଭଳି ଅସନ୍ତୋଷ ଆନ୍ଦୋଳନ ରୂପ ମଧ୍ୟ ନେଉଛି। ସୋମବାର ବରଗଡ଼ ବ୍ଲକ ବେହେରା ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଅନୁରୂପ ସ୍ଥିତି ଉପୁଜିଥିଲା। ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷକଙ୍କ ଅଭାବକୁ ନେଇ ଅଭିଭାବକମାନେ ସ୍କୁଲରେ ତାଲା ପକାଇଥିଲେ। ଅନ୍ୟପଟେ ଛାତ୍ରୀଛାତ୍ରଙ୍କୁ ଧରି ଅଭିଭାବକମାନେ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଛାତ୍ରୀଛାତ୍ର ବହି ବସ୍ତାନୀ ଧରି ଡିଇଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବହି ଖୋଲି ପଢ଼ାପଢ଼ି କରି ଅଭିନବ ପ୍ରତିବାଦ କରିଥିଲେ। ଆଉଜଣେ ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଓହରିଥିଲେ।
ସୂଚନା ଅନୁଯାୟୀ, ବେହେରା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଛି। ଏଠାରେ ସମୁଦାୟ ୯୧ଜଣ ଛାତ୍ରୀଛାତ୍ର ଅଛନ୍ତି। ଆଗରୁ ୩ଜଣ ଶିକ୍ଷକ ଥିଲେ । କିନ୍ତୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା। ଶିକ୍ଷୟିତ୍ରୀ, ଶିକ୍ଷକ ଅଭାବ ଯୋଗୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏ ନେଇ ଅଭିଭାବକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳି ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଫଳରେ ଅଭିଭାବକମାନେ ବିଦ୍ୟାଳୟରେ ତାଲା ମାରିବା ସହିତ ଛାତ୍ରୀଛାତ୍ରଙ୍କୁ ଧରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ସହିତ ଅଭିଭାବକମାନେ ଧାରଣା ଦେବା ସହିତ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ। ଏହା ସହିତ ଛାତ୍ରୀଛାତ୍ର ଆଣିଥିବା ବହି ଖୋଲି ସେଠାରେ ପଢ଼ିଥିଲେ। ସେହିପରି ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ସେଠାକୁ ପହଞ୍ଚିଥିଲେ। ଏହାପରେ ଜିଲା ଶିକ୍ଷା ଅଧିକାରୀଙ୍କ ସହିତ ପୂର୍ବତନ ବିଧାୟକ ଏବଂ ଅଭିଭାବକଙ୍କ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ।