ରାସ୍ତାରେ ପାଠ ପଢିଲେ ଛାତ୍ରୀଛାତ୍ର

ଖଇରା/ଔପଦା, ୧୬।୭ (ଡି.ଏନ.ଏ.)

ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅଧୀନ ଦନ୍ତୋର ନୋଡାଲ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରା ନ ଯିବା ପ୍ରତିବାଦରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣା ଦେବା ସହିତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ପାଠ ପଢି ପ୍ରତିବାଦ ଜଣାଇଛନ୍ତି। ଏହି ସ୍କୁଲରେ ଦୀର୍ଘଦିନ ଧରି ପ୍ରଧାନ ଶିକ୍ଷକ, ସଂସ୍କୃତ ଶିକ୍ଷକ, ଖେଳ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବିଜ୍ଞାନ ଶିକ୍ଷକଙ୍କୁ ଡେପୁଟେଶନରେ ଅନ୍ୟ ସ୍କୁଲକୁ ବଦଳି ଯାଇଛି। ଏହାସତ୍ତ୍ୱେ ଗତ ୧ା୭ା୨୨ ରିଖଠାରୁ ସହକାରୀ ଶିକ୍ଷୟିତ୍ରୀ ସଞ୍ଜୁଲତା ସାହୁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏଥିଯୋଗୁ ୪୦୧ପିଲାଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି। ଉକ୍ତ ବିଦ୍ୟାଳୟ ୫ଟି ରୂପାନ୍ତରଣ ସ୍କୁଲ ଅଧୀନରେ ଆସୁଥିଲେ ମଧ୍ୟ ଶୌଚାଳୟ ପାଇଁ ଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ଶତାଧିକ ଛାତ୍ରୀଛାତ୍ର, ଅଭିଭାବକ ପ୍ରବଳ ବର୍ଷା ସତ୍ତ୍ୱେ ସ୍କୁଲ ସମ୍ମୁଖରେ ଧାରଣାରେ ବସି ରହିବା ସହିତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ସ୍କୁଲ ଭିତରକୁ ଛାଡି ନ ଥିଲେ। ନବମ ଓ ଦଶମ ଶ୍ରେଣୀର ପିଲାମାନେ ସ୍କୁଲ ଗେଟ ସମ୍ମୁଖରେ ପଢ଼ୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଖବର ପାଇ ଏବିଇଓ ରତ୍ନାକର ଦାସ ପହଞ୍ଚିବା ପରେ ଅଭିଭାବକମାନେ ଏବିଇଓ ଦାସଙ୍କୁ ଘେରିଯାଇ କିଛି ସମୟ ପାଇଁ ଅଟକ ରଖି ଦାବି ପୂରଣ ନ ହେବା ଯାଏ ଛାଡିବେନି ବୋଲି କହି ହୋହାଲ୍ଲା କରିଥିଲେ। ବିଇଓଙ୍କ ସହିତ ଆଲୋଚନା କରି ଆସନ୍ତା ତା୧୯ା୭ା୨୨ ରିଖ ସୁଦ୍ଧା ଦାବି ପୂରଣ ହେବାର ପ୍ରତିଶ୍ରୁତି ଏବିଇଓ ଦାସ ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Share