ପ୍ରଧାନଶିକ୍ଷକ ନିଲମ୍ବନ ଘଟଣା: ବିଇଓ ଅଫିସ ସମ୍ମୁଖରେ ବସିଲେ ଛାତ୍ରୀଛାତ୍ର

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ନିଲମ୍ବନ କରିଛନ୍ତି ବିଇଓ ଭାଗୀରଥି ବେହେରା। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏନେଇ ଗୁରୁବାର ସ୍କୁଲ ଟାଇମ୍‌ରେ ପାଠପଢ଼ା ଛାଡ଼ି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରୀଛାତ୍ରଙ୍କ ସମେତ ସ୍କୁଲ ପରିଚାଳନା କମିଟି ବୃନ୍ଦ। ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଅର୍ଡର ପ୍ରତ୍ୟାହାର କରିବାକୁ ଜିଦ୍‌ରେ ଅଟଳ ଅଭିଭାବକ ସଂଘ ଓ ଛାତ୍ରୀଛାତ୍ର। ଆମକୁ ଦରକାର ଆମ ପ୍ରଧାନଶିକ୍ଷକ। ପ୍ରଧାନଶିକ୍ଷକ ନ ଆସିଲେ ଆମେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରଧାନଶିକ୍ଷକ ଆମର ଗଣିତ ଓ ଇଂଲିଶ ସବଜେକ୍ଟ ନେଇଛନ୍ତି। ଆମେ କିପରି ପଢ଼ିବୁ ଓ କେମିତି ପରୀକ୍ଷା ଦେବୁ ବୋଲି ସ୍କୁଲ ପିଲାମାନେ ପ୍ରଶ୍ନ କରିଛନ୍ତି। ଏବିଇଓ ବିଜୟ ଚନ୍ଦ୍ର ବେହେରା ଧାରଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣାରୁ ହଟି ନାହାନ୍ତି ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ଓ ଛାତ୍ରୀଛାତ୍ର। ଆସନ୍ତା ତିନି ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ଏବିଇଓ ବେହେରା କହିବା ପରେ ମଧ୍ୟ ଜିଦ୍‌ରେ ଅଟଳ ରହିଛନ୍ତି ପିଲା। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିବା ଦେଖିବାକୁ ମିଳିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି। ବିଇଓ ବେହେରା ଆକ୍ରୋଶମୂଳକ ଭାବେ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି ବୋଲି ସ୍କୁଲ ପିଲାମାନେ ବିଇଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।