ବିଦେଶରେ ପଢିବା ପାଇଁ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ଟିକା

ଭୁବନେଶ୍ୱର, ୫।୬ (ବ୍ୟୁରୋ): ବିଦେଶକୁ ଯାଇ ପାଠ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ସମୟରେ ବିଦେଶ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ଅନେକ ଛାତ୍ରୀଛାତ୍ରଙ୍କ ବିଦେଶରେ ପାଠ ପଢିବା ସ୍ବପ୍ନ ଭାଙ୍ଗି ଯିବାକୁ ବସିଥିଲା। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଏକ ବ୍ୟବସ୍ଥା କରାଯାଇଛି। ବିଦେଶ ଯିବାକୁ ଚାହୁଁଥିବା ପିଲାମାନେ ୧୯୨୯ରେ କଲ୍‌ କରି ସେମାନଙ୍କ ରେଜିଷ୍ଟ୍ରେସନ କରି ପାରିବେ। ପରେ ବିଏମ୍‌ସି ପକ୍ଷରୁ ସେମାନଙ୍କ ଟିକାକରଣ ନେଇ ବ୍ୟବସ୍ଥା କରାଯିବ। ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବୟସ ୧୮ରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ସେହିପରି ଫରେନ୍‌ ୟୁନିଭରସିଟିରେ ଆଡ୍‌ମିଶନ ନେଇ ନିଶ୍ଚିତ ଥିବା ଛାତ୍ରୀଛାତ୍ରମାନେ ରେଜିଷ୍ଟ୍ରେସନ କରି ପାରିବେ। ଟିକାକରଣ ପାଇଁ ଯିବା ସମୟରେ ସମ୍ପୃକ୍ତ ୟୁନିଭରସିଟିର କନ୍‌ଫରମେସନ୍‌ ଲେଟର ସହ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନେବାକୁ ପଡିବ। ରବିବାରଠାରୁ ୧୯୨୯ରେ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।

Share