ଖୋଲୁନି ଆଦର୍ଶ ବିଦ୍ୟାଳୟ: ଅନ୍ୟତ୍ର ପଢୁଛନ୍ତି ଛାତ୍ରୀଛାତ୍ର

ଆଳି,୨୬।୬(ବନମାଳୀ ସେନାପତି): ରାଜ୍ୟ ସରକାର ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ପରିବେଶ ଓ ଶିକ୍ଷା ଦେବା ନିମନ୍ତେ ଆଦର୍ଶ ବିଦ୍ୟାଳୟ ଗଠନ କରିଥିଲେ। ଆଳି ବ୍ଲକରେ ଦୀର୍ଘ ୨ବର୍ଷ ହେବ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ମାତ୍ର ଆଦର୍ଶ ବିଦ୍ୟାଳୟର ନିଜସ୍ବ ଗୃହ ନ ଥିବା କାରଣରୁ ସ୍ଥାନୀୟ ଶରତ କୁମାର ଦେବ ହାଇସ୍କୁଲରେ ଆରମ୍ଭ ହୋଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ସରିଥିବା ବେଳେ ଛାତ୍ରୀଛାତ୍ରମାନେ କିନ୍ତୁ ଅତି ଅବ୍ୟବସ୍ଥା ମଧ୍ୟରେ ଶରତ କୁମାର ଦେବ ହାଇସ୍କୁଲରେ ପଢ଼ୁଛନ୍ତି, ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଯେଉଁ ଲକ୍ଷ୍ୟ ନେଇ ଆଦର୍ଶ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଚୟନ କରିଥିଲେ ସେଥିରେ କିନ୍ତୁ ବ୍ୟତିକ୍ରମ ଦେଖାଦେଉଛି। ଏବେ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୧୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ମାତ୍ର ୩ ଜଣ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଛି। ବିଦ୍ୟାଳୟର ଶିକ୍ଷାଦାନକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହେଉଛନ୍ତି। ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ଫ୍ୟାନ୍‌ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ସେମାନେ ଅତିଷ୍ଠ ହୋଇପଡ଼ୁଛନ୍ତି। ବସିବା ନିମନ୍ତେ ବେଞ୍ଚ୍‌ର ବ୍ୟବସ୍ଥା ନ ଥିବା ବେଳେ ପାଲ ପକାଇ ଗୁଞ୍ଜାଗୁଞ୍ଜି ହୋଇ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଅଭିଭାବକମାନେ କହିଛନ୍ତି, ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଡିସେମ୍ବରରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ସେଠାରେ ଶିକ୍ଷାଦାନ ହେଉନି ତାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଠିକାଦାର ଗୃହ ହସ୍ତାନ୍ତର କରିନାହାନ୍ତି ବୋଲି ସେ କହିଛନ୍ତି। ଏ ନେଇ ଠିକାଦାର ସୁକାନ୍ତ ରାଉତଙ୍କୁ ପଚାରିବାରେ ଗୃହ ନିର୍ମାଣ କାର୍ଯ୍ୟ ୬ ମାସ ହେବ ଶେଷ ହୋଇସାରିଛି। ସେ ଗୃହ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିବା ବେଳେ ବିଭାଗ ପକ୍ଷରୁ ଗ୍ରହଣ କରାଯାଉନାହିଁ ବୋଲି ସେ କହିଛନ୍ତି। ତୁରନ୍ତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ଆଦର୍ଶ ବିଦ୍ୟାଳୟର ନିଜସ୍ବ ଗୃହରେ ପାଠପଢ଼ା ଆରମ୍ଭ କରିବା ସହିତ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଭିଭାବକମାନେ ଦାବି କରିଛନ୍ତି।

Share