ଜାତୀୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରୀଙ୍କ ସଫଳତା:ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଟାଟା ବିଲଡିଙ୍ଗ ଇଣ୍ଡିଆ ପକ୍ଷରୁ ଆୟୋଜିତ ଦି ରୋଲ ଅଫ ୟୁଥ୍‌ ଜେନେରେଶନ ଟୁ ମେକ ଏ ସ୍ବଚ୍ଛ ଭାରତ ( ସ୍ବଚ୍ଛ ଭାରତ ନିର୍ମାଣରେ ଯୁବ ଶକ୍ତିର ଭୂମିକା ) ଶୀର୍ଷକ ଜାତୀୟସ୍ତରୀୟ ଇଂଲିଶ ପ୍ରବନ୍ଧ ପ୍ରତିଯୋଗିତାରେ ଦିଗପହଣ୍ଡିର ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡା ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏପରିକି ପ୍ରଜ୍ଞାରାଣୀ ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ଅଞ୍ଚଳ କଲୋନୀ ବାସିନ୍ଦା କାମନା ରଞ୍ଜନ ପଣ୍ଡା ଏବଂ ବନିତା ପାତ୍ରଙ୍କ କନ୍ୟା ପ୍ରଜ୍ଞାରାଣୀ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ମାତାପିତା ଓ ବିଦ୍ୟାମନ୍ଦିର ଅଚାର୍ଯ୍ୟା ଆଚାର୍ଯ୍ୟ ପ୍ରେରଣାରେ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ରହିଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ଛାତ୍ରୀଙ୍କ ଏଭଳି ସଫଳତା ଖବର ଶୁକ୍ରବାର ପ୍ରକାଶ ପାଇବା ପରେ ବିଦ୍ୟାମନ୍ଦିର ସମେତ ସମଗ୍ର ଦିଗପହଣ୍ଡି ସହର ପାଇଁ ଏହା ଏକପ୍ରକାର ଗୌରବ ବୋଲି କୁହାଯାଇଛି। ପ୍ରଜ୍ଞାରାଣୀଙ୍କ ଏହି ସଫଳତା ପାଇଁ ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ,ଭଗବତୀ ପ୍ରସାଦ ମିଶ୍ରଙ୍କ ସମେତ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ସାହୁ , ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ , ବିଦ୍ୟାମନ୍ଦିରର ସମସ୍ତ ଅଚାର୍ଯ୍ୟା ଆଚାର୍ଯ୍ୟ ବୃନ୍ଦ ଶୁଭକାମନା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Share