ବଇଣ୍ଡା,୩ା୩(ଡି.ଏନ.ଏ.): କୋଭିଡ୍ କାରଣରୁ ୨ ବର୍ଷ ବନ୍ଦ ରହିଲା ପ୍ରାଥମିକ ବିଦ୍ୟାଳୟ। ହେଲେ ଅବ୍ୟବସ୍ଥିତ ଭିତ୍ତିଭୂମିରେ ପରିବର୍ତ୍ତନ କଲେନି ରାଜ୍ୟ ସରକାର। ଫଳରେ ଦୀର୍ଘଦିନ ପରେ ସ୍କୁଲକୁ ଆସିଥିବା କୁନି କୁନି ଛାତ୍ରୀଛାତ୍ର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଆଜବେଷ୍ଟସ ତଳେ ଖୋଲାମେଲାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡିପଥର ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଭରିଦେଇଛି। ବୁଧବାର ସେମାନେ ଅନୁଗୋଳ ଜିଲାପାଳଙ୍କଠାରେ ଏ ନେଇ ଆଭିଯୋଗ କରିବା ସହ ତୁରନ୍ତ ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, ୧୯୩୬ ମସିହାରେ ଗ୍ରାମବାସୀଙ୍କ ପକ୍ଷରୁ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୮୯ ଛାତ୍ରୀଛାତ୍ର ଏଠାରେ ପଢୁଛନ୍ତି। ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିବାବେଳେ ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ୫ଟି ଶ୍ରେଣୀ ପାଇଁ ୨ଟି ଛାତ ଘର ଓ ୨ଟି ଟାଇଲ ଘର ରହିଛି। ସେଥିରୁ ଗୋଟିଏ ଅଫିସ ଭାବେ ବ୍ୟବହାର ହେଉଥିବାରୁ ସ୍ଥାନାଭାବ ଦେଖାଦେଇଛି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ୨ଟି ଟାଇଲ ଘରେ ଶିକ୍ଷାଦାନ କରାଯାଉଛି। ତଥାପି ଜାଗା ନିଅଣ୍ଟ ପଡ଼ୁଥିବାରୁ ଏକ ଆଜବେଷ୍ଟସ ତଳେ ଖୋଲାରେ ପିଲାଙ୍କୁ ବସାଯାଉଛି। ବିଦ୍ୟାଳୟର ଏପରି ଅବସ୍ଥା ଦେଖି ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଦୀର୍ଘଦିନ ହେବ ସ୍କୁଲରେ ପିଇବା ପାଣି ସମସ୍ୟା ଲାଗିରହିଛି। ନଳକୂଅ କିମ୍ବା ପାଇପ୍ ଜଳ ବ୍ୟବସ୍ଥା କରାଯାଉ ନ ଥିବାରୁ କୁନି କୁନି ଛାତ୍ରୀଛାତ୍ରମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ରାଜ୍ୟ ରାଜପଥ ପାର୍ହୋଇ ନଳକୂଅକୁ ପାଣି ପିଇବା ପାଇଁ ଯାଉଛନ୍ତି। ଚତୁଃପାଶର୍ବ ପାଚେରି ନ ଥିବାବେଳେ ସ୍ଥାୟୀ ଖେଳପଡିଆ ନାହଁି। ଫଳରେ ଏଠାରେ କ୍ରୀଡ଼ାରେ ବିକାଶ ହୋଇପାରୁନାହିଁ। ତୁରନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ସହ ଲାଗିରହିଥିବା ସମସ୍ତ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ନାୟକ କହିଛନ୍ତି, ପୁରାତନ ଟାଇଲ ଗୃହଗୁଡିକ ମରାମତି କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ମରାମତି କାର୍ଯ୍ୟ ଖୁବ୍ଶୀଘ୍ର କରାଯିବ। ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥୀ ଶୁଣ୍ଢୀ କହିଛନ୍ତି, ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।