ବାଲେଶ୍ୱର ଅଫିସ,୧୯ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଗୁମର ଖୋଲିଛନ୍ତି ତୃତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପଢ଼ିବାକୁ ଆସିଥିବା କୁନି ଛାତ୍ରଙ୍କୁ ପ୍ରଧାନଶିକ୍ଷକ ପ୍ରତ୍ୟେକ ଦିନ ପାଠପଢ଼ା ସମୟରେ ମଧ୍ୟାହ୍ନଭୋଜନ ପାଇଁ ସଉଦା ଆଣିବାକୁ ପଠାଉଛନ୍ତି। ଯାହାର ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି। ଯେଉଁଠି ସରକାର ବସ୍ତାନୀ ବୋଝ ବହିବାକୁ କୁନି ପିଲାଙ୍କୁ ବାରଣ କରିଛନ୍ତି ସେଠାରେ ଶିକ୍ଷକ ପରିବା, ସଉଦା ବ୍ୟାଗ୍ ବୋଝ ବୁହାଉଛନ୍ତି। ଯାହା ବିଦ୍ୟାଳୟ ଗାଇଡ୍ଲାଇନ୍କୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି। ଏପରି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ ସଦାନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ସ୍ଥାନୀୟ ଦୋକାନରୁ ମଧ୍ୟାହ୍ନଭୋଜନ ସଉଦା ଆଣିବାକୁ ପଠାଇଥିଲେ। ପିଲାଟି ଦିନ ୧୧ ସମୟରେ ବିଦ୍ୟାଳୟ ବାହାରେ ଦୋକାନରୁ ସଉଦା ନେଇ ଯାଉଥିବା ବେଳେ ଜଣେ ଗ୍ରାମବାସୀ ଏହି ଭିଡିଓଟି ଉଠାଇଥିଲେ। ପରେ ସେ ପିଲାଟିକୁ ପଚାରିବାରୁ ପିଲାଟି ପ୍ରଧାନଶିକ୍ଷକ ତାଙ୍କୁ ପ୍ରତ୍ୟେକ ଦିନ ସଉଦା ଆଣିବାକୁ ପଠାନ୍ତି ବୋଲି କହିଥିଲେ।