ଚବ୍ରି ନଦୀରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଦଶମନ୍ତପୁର,୫ା୭(ଅରବିନ୍ଦ ନାୟକ): କୋରାପୁଟ ଜିଲାରେ ଏପରି କେତେକ ଗ୍ରାମ ରହିଛି ଯେଉଁଠିକୁ ଏଯାଏ ପ୍ରଶାସନ ପହଞ୍ଚତ୍ପାରିନାହିଁ। ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଥିବା ଗ୍ରାମଗୁଡ଼ିକୁ ଏଯାଏ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ରାସ୍ତାଟିଏ କରିପାରିନାହିଁ। ଖରା ଓ ଶୀତିଦିନେ ଗ୍ରାମବାସୀ ଓ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନଦୀରେ କମ୍‌ ପାଣି ଥିବାରୁ ଚଳିଯାଉଥିବା ବେଳେ ବର୍ଷ ଦିନେ ସେମାନଙ୍କ ପାଇଁ ଚଳିବା କଷ୍ଟକର ହେଉଛି। ବିଶେଷକରି ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ବିଦ୍ୟାଳୟକୁ ପାଠପଢ଼ି ଯାଉଥିବା ଦେଖିବାକୁ ମିଳେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ। ବ୍ଲକରେ ପ୍ରବାହିତ ଚବ୍ରି ନଦୀ ଗ୍ରାମବାସୀ ଓ ଛାତ୍ରୀଛାତ୍ରଙ୍କ ବିକାଶରେ ବାଧକ ସାଜିଛି।
୧୨୦ରୁ ଊଦ୍ଧର୍‌ବ ପରିବାର ବସବାସ କରୁଥିବା ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ପଞ୍ଚାୟତର ରାଉତପୁଟ ଗ୍ରାମର ଚବ୍ରି ନଦୀ ପାଇଁ ହୋଇପାରୁନାହିଁ କୌଣସି ଉନ୍ନତି। ୯ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ରାସ୍ତାଟିଏ ନାହିଁ। ପ୍ରବାହିତ ଚବ୍ରି ନଦୀ ଉପରେ ଭରସାକରି ଚଳନ୍ତି ଗ୍ରାମବାସୀ। ବର୍ଷସାରା ନଦୀ ପାରହୋଇ ଯାତାୟାତ କରନ୍ତି। ବର୍ଷା ୪ମାସ ସେମାନେ ନାହିଁ ନ ଥିବା ହଇରାଣ ହେଉଥିବା କହନ୍ତି ଗ୍ରାମର ରାମଚନ୍ଦ୍ର ଗୌଡ଼, ଅମିର ଟାକ୍ରି, କୁନ୍ତି ଖରା, ଲକ୍ଷ୍ମଣ ଗୌଡ଼। ବର୍ଷାଦିନେ ସେମାନେ ଜଳବନ୍ଦୀ ଜୀବନ କାଟନ୍ତି। ଅଧିକ ବର୍ଷାରେ ନଦୀ ବଢ଼ିଲେ ପିଲାଙ୍କ ପାଠପଢ଼ା ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ବିଦ୍ୟାଳୟକୁ ଯାଇଥାନ୍ତି। କେହିେ କହି ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ି ନ ଥାନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବା, ରାଶନ ଚାଉଳ ଏବଂ ବୃଦ୍ଧାବୃଦ୍ଧ ସେମାନଙ୍କ ଭତ୍ତା ଟଙ୍କା ଆଣିବାରେ ବହୁ ଅସୁବଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ଲାଗି ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ବିଭିନ୍ନ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ପୋଲଟିଏ ନିର୍ମାଣ ହୋଇପାରିଲେ ଗ୍ରାମକୁ ରାସ୍ତା ସହଜରେ ନିର୍ମାଣ ହୋଇପାରନ୍ତା ବୋଲି କହିଛନ୍ତି ସେମାନେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ଆମେ ସାଧାରଣ ନିର୍ବାଚନ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ରାଉତପୁଟ ଗ୍ରାମବାସୀ।

Share