Advertisement

କାଦୁଅରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ନନ୍ଦପୁର, ୨୬ା୬(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁରର ପ୍ରସିଦ୍ଧ ତଥା ଐତିହାସିକ ଗଣେଷ ମନ୍ଦିର ଯିବାକୁ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ମାଟିିରାସ୍ତା ହୋଇଥିବାରୁ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି। ମନ୍ଦିର ପାର୍ଶ୍ୱ୍‌ରେ ଥିବା ସାରିଆପୁଟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତୀଛାତ୍ର, ଶିକ୍ଷୟତ୍ରୀ ଶିକ୍ଷକ, ସାରିଆପୁଟ ଓ କଉଡ଼ିଖାଲ ଗ୍ରାମବାସୀ ଯାତାୟାତ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଦୁଅ ଭିତରେ ପଶି ସମସ୍ତେ ଯବାକୁ ବାଧ୍ୟ ହେଉଛନ୍ତି। ଗାଡ଼ି ମୋଟର ଯାତାୟତ କରିବାରେ ବାଧା ଉପୁଜୁଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲୀପ ମୁଣ୍ଡାଗୁଡିଆ କହିଛନ୍ତି, ୫-ଟି ରୂପାନ୍ତରଣରେ ଗଣେଶ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରାଯାଉଛି। ନିର୍ମାଣ ସାମଗ୍ରୀ ପରିବହନ ନିମନ୍ତେ ବଡ ଗାଡ଼ି ବ୍ୟବହାର ହେଉଛି। ଗାଡିଗୁଡିକ ଯାତାୟାତରେ ରାସ୍ତାରେ ଅଧିକ ଖାଲ ହେଉଛି। ଏଥିଯୋଗୁ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀ ଶିକ୍ଷକ, ଗ୍ରାମବାସୀ ଏବଂ ଗଣେଶ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି। ଏନେଇ ୨ ଗ୍ରାମର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଏହି ରାସ୍ତାର ନିର୍ମାଣ ଲାଗି ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ମୁଣ୍ଡାଗୁଡିଅ କହିଛନ୍ତି। ଏ ସମ୍ପର୍କରେ ବିଡିଓ ସୁଜିତ ମିଶ୍ର ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଜସକେତନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉଭୟେ କହିଲେ, ଉକ୍ତ ରାସ୍ତାର ନୂତନ ନିର୍ମାଣ ପାଇଁ ବ୍ଲକ ପକ୍ଷରୁ ଜିଆଇଏ ଯୋଜନାରେ ୧୦ ଲକ୍ଷ ଟଙ୍କାର ଅଟକଳ କରାଯାଇ ଜିଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ମିଳିଲେ ଗଣେଶ ମନ୍ଦିର ରାସ୍ତାର ନୂତନ ନିର୍ମାଣ କରାଯିବ ବୋଲି ଉଭୟେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share